ବୌଦ୍ଧ/ଅନୁଗୋଳ: ଟୁସର ଗ୍ରାମରେ ନାବାଳକକୁ ବଳି ଦିଆଯିବା ଘଟଣାକୁ ୮ ଦିନ ବିତିଯାଇଛି । ନାବାଳକ ସଞ୍ଜୀବ ବିଶ୍ବାଳର ମୃତ୍ୟୁ ପରେ ଉକ୍ତ ଅଞ୍ଚଳରେ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି । ଟୁସର ଗ୍ରାମରେ ଥିବା ମଙ୍ଗଳା କୋଠି ଘରକୁ ଅନୁଗୋଳ ଜିଲ୍ଲା ପ୍ରଶାସନ ସିଲ କରି ତଦନ୍ତ ଆରମ୍ଭ କରିଛି । ଟୁସର ଗ୍ରାମରେ ପୋଲିସର ଛାଉଣୀ ପଡୁଛି ।
ବୌଦ୍ଧ ଓ ଅନୁଗୁଳ ଜିଲ୍ଲା ସୀମାନ୍ତରେ ଅବସ୍ଥିତ କିଆକଟା ଥାନା ଅନ୍ତର୍ଗତ ଟୁସର ଗ୍ରାମରେ ଗତ ରବିବାର ରାତିରେ ନାବାଳକକୁ ମଙ୍ଗଳା କୋଠିଘରରେ ନରବଳି ଦିଆଯାଇଥିବା ଅଭିଯୋଗ ହୋଇଥିଲା । ସୁବର୍ଣ୍ଣପୁର ଗ୍ରାମର ଜଣେ ୧୨ ବର୍ଷର ନାବାଳକ ସଞ୍ଜୀବ ବିଶ୍ବାଳକୁ ସୁନା ହଣ୍ଡା ଆଶାରେ ନରବଳି ଦିଆଯାଇଥିବା ନେଇ କିଆକଟା ଥାନାରେ ଅଭିଯୋଗ ହୋଇଥିଲା । ନିଖୋଜ ହେବାର ୬ ଦିନ ପରେ ନାବାଳକର ଖଣ୍ଡିତ ମୃତ ଶରୀର ଏକ ଜଙ୍ଗଲରୁ ଠାବ ହେବା ଦିନଠାରୁ ଟୁସର ଅଞ୍ଚଳରେ ତୀବ୍ର ଉତ୍ତେଜନା ଲାଗି ରହିଛି । ଆଜି ପ୍ରଶାସନ ପକ୍ଷରୁ ଉକ୍ତ ମଙ୍ଗଳା କୋଠି ଘରକୁ ସିଲ କରି ତଦନ୍ତ ଆରମ୍ଭ କରିଛି । ତେବେ ନାବାଳକ ଶରୀରର ଗଣ୍ଡି ଅଂଶ ନଥିବା ବେଳେ କିଛି ଅଙ୍ଗ ମଧ୍ୟ ନିଥିବା ନେଇ ଜଣାପଡ଼ିଛି । ଏହି ଘଟଣାରେ ଅନେକ ଲୋକଙ୍କ ସମ୍ପୃକ୍ତି ଥିବା ଟୁସର ଗ୍ରାମବାସୀ ଅଭିଯୋଗ କରିଛନ୍ତି ।