ବୌଦ୍ଧ:ଦିନିକିଆ ବୌଦ୍ଧ ଜିଲ୍ଲା ଗସ୍ତରେ ସାମାଜିକ ସୁରକ୍ଷା ବିଭାଗର ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା । ଗତକାଲି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ବୌଦ୍ଧରେ ପହଞ୍ଚିବା ପରେ ବୌଦ୍ଧ ବିଧାୟକ ତଥା ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ, ବିଭାଗୀୟ ଅଧିକାରୀ ତାଙ୍କୁ ସ୍ବାଗତ କରିଥିଲେ ।
ଦିନିକିଆ ବୌଦ୍ଧ ଗସ୍ତରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ସାମାଜିକ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଥିଲେ । ଜିଲ୍ଲାରେ ସମୁଦାୟ 91 ପ୍ରତିଶତ ଏନଏସପି ସଫଳତା ରହିଥିବା ବେଳେ ଜାତୀୟ ପରିବାର ପେନସନ ବ୍ୟବସ୍ଥାକୁ ଅଧିକ ତ୍ବରାନ୍ବିତ ପାଇଁ ମନ୍ତ୍ରୀ ଅଶୋକ ପରାମର୍ଶ ଦେଇଥିଲେ ।
ତେବେ ଜିଲ୍ଲାର ସାମାଜିକ ସୁରକ୍ଷା ବିଭାଗରେ କର୍ମଚାରୀଙ୍କ ଅଭାବ ଥିବା ବେଳେ ଜିଲ୍ଲାରେ କାର୍ଯ୍ୟକାରୀ ହେବାକୁ ଥିବା ପ୍ରକଳ୍ପ ସମ୍ପର୍କରେ ମନ୍ତ୍ରୀ ଗଣମାଧ୍ୟମକୁ ସୂଚନା ଦେଇଥିଲେ । ଜିଲ୍ଲାର ତିନୋଟି ବ୍ଲକର ବିଭିନ୍ନ ସ୍ଥାନରେ ସମୁଦାୟ 13 ଗୋଟି ଭିନ୍ନକ୍ଷମ ସାମର୍ଥ୍ୟ ଶିବିରର ଆୟୋଜନ କରାଯାଇଥିବାରୁ ମନ୍ତ୍ରୀ ସନ୍ତୋଷ ପ୍ରକାଶ କରିବା ସହିତ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ । ମନ୍ତ୍ରୀଙ୍କ ଗସ୍ତ ଅବସରରେ ବିଭାଗରେ କାର୍ଯ୍ୟରତ ଆଉଟସୋର୍ସିଂ କର୍ମଚାରୀଙ୍କ ପକ୍ଷରୁ ସେମାନଙ୍କ ବିଭିନ୍ନ ସମସ୍ୟାକୁ ନେଇ ମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା ।
ଇଟିଭି ଭାରତ, ବୌଦ୍ଧ