ବୌଦ୍ଧ:କୃଷକଙ୍କ ବିକାଶ ପାଇଁ ସରକାରଙ୍କ ଅନେକ ଯୋଜନା । ପ୍ରକଳ୍ପ ନିର୍ମାଣ ପାଇଁ ଶିଳାନ୍ୟାସ କରାଯାଉଛି କିନ୍ତୁ ହୋଇପାରୁନି କାର୍ଯ୍ୟକାରୀ । ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ଅଧିକାଂଶ ଅଞ୍ଚଳରେ ଜଳସେଚନର ସୁବିଧା ରହିନଥିବାବେଳେ, ମେଗା ଜଳସେଚନ ପ୍ରକଳ୍ପ ମଧ୍ୟ କାମରେ ଆସୁନାହିଁ । ସେପଟେ ନିର୍ମାଣ ହୋଇଥିବା ଏକମାତ୍ର ପ୍ରକଳ୍ପ ମଧ୍ୟ ଚଳିତ ବନ୍ୟାରେ ଗଭୀର କ୍ଷୟକ୍ଷତି ହୋଇଛି ।
ମହାନଦୀ କୂଳରେ ଅବସ୍ଥିତ ବ୍ଲକର ଅଧିକାଂଶ ଅଞ୍ଚଳରେ ଜଳସେଚନର ସୁବିଧା ନାହିଁ । ଏହାକୁ ଦୃଷ୍ଟିରେ ରଖି ସରକାର ମେଗା ସେଚ ପ୍ରକଳ୍ପ ପାଇଁ ପ୍ରସ୍ତାବ ରଖିଥିଲେ । କିନ୍ତୁ ତାହା ବର୍ତ୍ତମାନ ଶୀତଳ ଭଣ୍ଡାରରେ ପଡିରହିଛି । ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକର ଅଧିକାଂଶ ଅଞ୍ଚଳ ମହାନଦୀ ପାଇଁ ଦୁଃଖ ପାଲଟିଛି । ପ୍ରତ୍ୟେକ ବର୍ଷ ମହାନଦୀରେ ବନ୍ୟାଜଳ ଆସି ନଦୀକୂଳିଆ ଅଞ୍ଚଳରେ ବ୍ୟାପକ କ୍ଷତି ଘଟାଇବା ସହିତ ଚାଷବାସ କାର୍ଯ୍ୟରେ ମଧ୍ୟ କ୍ଷତି ଘଟାଇଥାଏ । ଆଉ ଯେଉଁ ବର୍ଷ ବନ୍ୟା ନହୁଏ ତେବେ ଉତ୍କଟ ମରୁଡି ପରିସ୍ଥିତି ସୃଷ୍ଟି ହୁଏ ।
ଫଳରେ ଉଭୟ ଦୃଷ୍ଟିରୁ ମହାନଦୀ ତଳିଆ ଅଞ୍ଚଳର ଅଧିବାସୀ ଚାଷକୁ ନେଇ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ଏହାକୁ ଦୃଷ୍ଟିରେ ରଖି ସରକାର ହରଭଙ୍ଗା ବ୍ଲକର ଧଳପୁର, ସାମ୍ପୋଚ, ରାମଗଡ ଓ ତିରଡ ଠାରେ ମହାନଦୀରୁ ପାର୍ବତୀ ଗିରି ମେଗା ଜଳସେଚନର ପ୍ରତିଷ୍ଠା ପାଇଁ ଲକ୍ଷ୍ୟ ରଖିଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ କେବଳ ତିରଡ ସ୍କିମକୁ ଛାଡି ଅନ୍ୟ ତିନି ପ୍ରକଳ୍ପର ଭାଗ୍ୟ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଗଲା । ତେବେ ବର୍ତ୍ତମାନ ପୁଣିଥରେ ସରକାର ଓଡ଼ିଶାର ବିଭିନ୍ନ ନଦୀରେ ଚାଳିଶ ଗୋଟି ନୂତନ ମେଗା ସେଚ ପ୍ରକଳ୍ପ ପାଇଁ ମଞ୍ଜୁରୀ ପ୍ରଦାନ କରିଥିବାବେଳେ, ବୌଦ୍ଧ ଜିଲ୍ଲା ଭାଗରେ ଗୋଟିଏ ମଧ୍ୟ ପଡିଲା ନାହିଁ । ତେଣୁ ପୁଣିଥରେ ହରଭଙ୍ଗା ବ୍ଲକବାସୀଙ୍କୁ ସରକାର ପ୍ରତାରିତ କରିଥିବା ଅଞ୍ଚଳର ଚାଷୀ, ବୁଦ୍ଧିଜୀବୀ, ସ୍ବେଚ୍ଛାସେବୀ ଅଭିଯୋଗ କରିଛନ୍ତି । ଏନେଇ ସରକାର ପୁନର୍ବିଚାର ନକଲେ ଆଗାମୀ ଦିନରେ ଯୋରଦାର ଆନ୍ଦୋଳନ ହେବ ବୋଲି ଚେତାବନୀ ଦିଆଯାଇଛି ।