ବୌଦ୍ଧ:ଦ୍ବୀପାଞ୍ଚଳ ବାସୀଙ୍କ ପାଇଁ ବିକାଶ ପହଞ୍ଚିବାରେ ସହାୟକ ହେବ ସେତୁ । ଗ୍ରାମବାସୀଙ୍କ ପାଖରେ ସମସ୍ତ ସରକାରୀ ଯୋଜନା ପହଞ୍ଚିବା ସହ ଅଞ୍ଚଳ ସୌନ୍ଦର୍ଯ୍ୟକରଣ ହେବ।
ମର୍ଜାକୁଦ ଦ୍ବୀପ ହେବ ଜିଲ୍ଲା ପର୍ଯ୍ୟଟନର କେନ୍ଦ୍ରବିନ୍ଦୁ ଦୀର୍ଘ ବର୍ଷ ଧରି ମହାନଦୀ ଗର୍ଭରେ ବାସ କରୁଥିବା ଦ୍ବୀପାଞ୍ଚଳ ବାସୀଙ୍କ ପାଇଁ ଯୋଡିବ ବିକାଶର ସେତୁ । ବୌଦ୍ଧ ଜିଲ୍ଲାର ଏକମାତ୍ର ପୌରାଞ୍ଚଳର ଦୁଇଟି ଓ୍ବାର୍ଡ କୁନେଇ ରହିଛି ଦ୍ବୀପ ଗ୍ରାମ ମର୍ଜାକୁଦ । ପ୍ରାୟ 2200 ଏକର ପରିମିତ ଏହି ଦ୍ବୀପ ପର୍ଯ୍ୟଟନ ଦୃଷ୍ଟି କୋଣକୁ ଅପେକ୍ଷା କରି ରହିଥିଲା। ଏଥିସହ ଏଠାରେ ବସବାସ କରୁଥିବା ଅଧିବାସୀ ବିଛିନ୍ନାଞ୍ଚଳର ଜୀବନ କାଟୁଥିଲେ । ଯୋଗାଯୋଗର ମାଧ୍ୟମ କହିଲେ ମହାନଦୀର ଜଳପଥ । ବର୍ଷ ତମାମ ଦୈନନ୍ଦିନ କାର୍ଯ୍ୟ ପାଇଁ ଡଙ୍ଗାରେ ବିପଦ ଶଙ୍କୁଳ ଅବସ୍ଥାରେ ବୌଦ୍ଧ କୂଳ ପଟକୁ ଆସିବାକୁ ପଡିଥାଏ ।
ବିଶେଷ ସମସ୍ୟା ଶିଶୁ ଓ ଗର୍ଭବତୀ ମହିଳାଙ୍କ କ୍ଷେତ୍ରରେ ସୃଷ୍ଟି ହୋଇଥାଏ ।ତେବେ ସମୟକ୍ରମେ ଏହି ଦ୍ବୀପ ଗ୍ରାମକୁ ବିଦ୍ୟୁତ, ପାନୀୟଜଳ ଓ ଅନ୍ୟାନ୍ୟ ବ୍ୟବସ୍ଥା କାର୍ଯ୍ୟକାରୀ ହେଉଥିଲେ ମଧ୍ୟ ଯୋଗାଯୋଗର ବିଛିନ୍ନତା ହେତୁ ବିଭିନ୍ନ ସମସ୍ୟା ଲାଗି ରହୁଥିଲା । ତେବେ ବର୍ତ୍ତମାନ ବୌଦ୍ଧଠାରୁ ମର୍ଜାକୁଦକୁ ସଂଯୋଗ ପାଇଁ ଏକ ସେତୁ ନିର୍ମାଣ କାର୍ଯ୍ୟ ଚାଲିଛି । ସେତୁର ପ୍ରାୟ 80 ପ୍ରତିଶତ କାର୍ଯ୍ୟ ଆଗେଇ ଥିବା ବେଳେ ଆସନ୍ତା ଅଳ୍ପ କିଛି ମାସ ମଧ୍ୟରେ ଏହା ସମ୍ପୂର୍ଣ୍ଣ ହେବାର ସମ୍ଭାବନା ରହିଛି ।ଏହି ସେତୁ ନିର୍ମାଣ କୁନେଇ ମର୍ଜାକୁଦ ଗ୍ରାମବାସୀ ବେଶ ଖୁସି ପ୍ରକାଶ କରିଥିବା ବେଳେ ଏହି ଦ୍ବୀପ ବୌଦ୍ଧ ଜିଲ୍ଲା ପର୍ଯ୍ୟଟନର ଏପିକ ସେଣ୍ଟର ହେବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ