ବୌଦ୍ଧ: ବର୍ଷା ଦିନ ଆସିଲେ ନଦୀକୂଳିଆ ଅଧିବାସୀଙ୍କ ମନରେ ପଶେ ଛନକା । ବର୍ଷା ନଦୀ କୂଳ ଲଙ୍ଘୁଥିବାରୁ ବାଧ୍ୟ ହୋଇ ଗ୍ରାମବାସୀ ବିଚ୍ଛିନ୍ନାଞ୍ଚଳର ଜୀବନ ବିତାଇବାକୁ ବାଧ୍ୟ ହୁଅନ୍ତି । ବାଉଁଶ ଭେଳା ଏମାନଙ୍କ ପାଇଁ ଯାତାୟାତର ଏକମାତ୍ର ମାଧ୍ୟମ ପାଲଟିଥାଏ । ତେବେ ତୁରନ୍ତ ଏ ଦିଗରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ଦାବି ହୋଇଛି ।
ଜିଲ୍ଲା ଦେଇ ମହାନଦୀ ସମେତ ତେଲନଦୀ, ବାଘନଦୀ, ସାଲୁଙ୍କୀ ନଦୀ ସହିତ ବିଭିନ୍ନ ପାହାଡି ନାଳ ପ୍ରବାହିତ ହେଉଥିବାବେଳେ, ନଦୀନାଳ ଗୁଡିକ କୂଳ ଲଙ୍ଘୁଥିବାରୁ ଏନେଇ ନଦୀକୂଳିଆ ଅଧିବାସୀ ଆତଙ୍କିତ ହୋଇ ପଡିଥାନ୍ତି । ତେବେ ଜିଲ୍ଲାର କୁଶଙ୍ଗ ବନ୍ୟପ୍ରାଣୀ ଅଭୟାରଣ୍ୟ ମଧ୍ୟରେ ଥିବା ଆଦିବାସୀ ଅଧ୍ୟୁଷିତ ମାରଡା ଗ୍ରାମର ଅଧିବାସୀଙ୍କ ଦୁଃଖ ଏହି ବର୍ଷା ଦିନ ଆସିଲେ କହିଲେ ନସରେ । କାରଣ ବର୍ଷା ଦିନ ଆସିଲେ ମହାନଦୀରେ ବନ୍ୟା ପାଣି ପ୍ରବାହିତ କାରଣରୁ କୁମ୍ଭୀର ମାନେ ସାତକୋଶିଆରୁ ଉଠିଆସି ନିକଟସ୍ଥ ନାଳର ପାଣିରେ ଆଶ୍ରୟ ନେଇଥାନ୍ତି ।