ବୌଦ୍ଧ: ମାଳମାଳ ସମସ୍ୟା ଘେରରେ ବୌଦ୍ଧ ଜିଲ୍ଲାର ଉପାନ୍ତ ପଞ୍ଚାୟତ । ଆଦିବାସୀ ଅଧ୍ୟୁଷିତ ପଞ୍ଚାୟତରେ ସ୍ବାସ୍ଥ୍ୟସେବାଠାରୁ ନେଇ ପାନୀୟଜଳ, ଗମନାଗମନ ଭଳି ବିଭିନ୍ନ ସମସ୍ୟାର ଲମ୍ବା ତାଲିକା ରହିଥିବା ଅଭିଯୋଗ ହୋଇଛି । ସରକାରୀ ଅବହେଳାର ଶିକାର ହୋଇଛି ବୌଦ୍ଧ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ସୀମାନ୍ତ ପଞ୍ଚାୟତ ଶଗଡ଼ା । ଶଗଡ଼ା ଅଞ୍ଚଳ ପ୍ରାକୃତିକ ସୌନ୍ଦର୍ଯ୍ୟ ତଥା ଜଳସେଚନ ପ୍ରକଳ୍ପ ପାଇଁ ବେଶ ପ୍ରସିଦ୍ଧି ଲାଭ କରିଥିଲେ ମଧ୍ୟ ପଞ୍ଚାୟତର ବିକାଶ ଠିକ୍ରେ ହୋଇ ପାରୁନଥିବା ଅଭିଯୋଗ ହୋଇଛି । ବୌଦ୍ଧ ଜିଲ୍ଲା ତଥା କନ୍ଧମାଳ ଜିଲ୍ଲାର ସୀମାନ୍ତରେ ଥିବା ଶଗଡ଼ା ଏକ ଆଦିବାସୀ ଅଧ୍ୟୁଷିତ ପଞ୍ଚାୟତ ।
ସେହିପରି ବଣ ଜଙ୍ଗଲ ଘେରା ଦୁର୍ଗମ ଅଞ୍ଚଳକୁ ଶଗଡ଼ା ସଦର ମହକୁମାଠାରୁ ଭଲ ରାସ୍ତା ଖଣ୍ଡିଏ ନଥିବାରୁ ଦୂର ସ୍ଥାନକୁ ଯାତ୍ରା ଲୋକଙ୍କ ପାଇଁ କଷ୍ଟଦାୟକ ହୋଇ ପଡ଼ିଛି । ସ୍ଥାନୀୟ ଅଧିବାସୀମାନେ ଆବାସ, ରାସନ୍, ସାମାଜିକ ସୁରକ୍ଷା ଭଳି ବିଭିନ୍ନ ଯୋଜନାର ସୁଫଳ ଠିକ୍ରେ ପାଇପାରୁ ନାହାନ୍ତି । ସେପଟେ ଏହି ଦୁର୍ଗମ ଅଞ୍ଚଳର ଭୌଗଳିକ ଅବସ୍ଥିତିରେ ମାଓବାଦୀଙ୍କ ଗତିବିଧି ସକ୍ରିୟ ରହିଛି । ଶଗଡ଼ାଠାରେ ଏକ ଫାଣ୍ଡି ଓ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ରହିଥିବା ବେଳେ ଡ଼ାକ୍ତର ଅଭାବରୁ ଏଠାରେ ସ୍ବାସ୍ଥ୍ୟସେବା ଏକପ୍ରକାର ବିପର୍ଯ୍ୟସ୍ତ ହୋଇପଡ଼ିଛି । ତେଣୁ ସରଳ ଆଦିବାସୀ ଅଧିବାସୀମାନେ ବାଧ୍ୟ ହୋଇ ଝଡାଫୁଙ୍କା ଓ ଗୁଣିଗାରେଡି ଉପରେ ନିର୍ଭରଶୀଳ ।