ବୌଦ୍ଧ:ଦୀର୍ଘ ଦିନ ପରେ ବୌଦ୍ଧ ଜିଲ୍ଲାରେ ପୁଣି ନିଜର ସ୍ଥିତି ଜାହିର କରିଛି ମାଓ ସଂଗଠନ । ଜିଲ୍ଲାର ବିଭିନ୍ନ ଉପାନ୍ତ ଅଞ୍ଚଳରେ ମାଓ ପୋଷ୍ଟର ଦେଖିବାକୁ ମିଳିଛି । ଲୋକଙ୍କୁ ଗଞ୍ଜେଇ ଚାଷ ନକରିବାକୁ ପରାମର୍ଶ ଦେବା ଉଦ୍ଦେଶ୍ୟରେ କେକେବିଏନ ମାଓ ଡିଭିଜନ ପକ୍ଷରୁ ଏହି ମାଓ ପୋଷ୍ଟର ଲଗାଯାଇଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ଜିଲ୍ଲାରେ ନୀଳ ଜହର(ଗଞ୍ଜେଇ) ଚାଷ ହଜାର ହଜାର ଏକର ଜଙ୍ଗଲ ଜମିରେ ବେଆଇନ ଭାବେ କରାଯାଉଥିବା ବେଳେ ଏହା ଜିଲ୍ଲା ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛି ।
ପୁଣି ଥରେ ବୌଦ୍ଧ ଜିଲ୍ଲାର ବିଭିନ୍ନ ଉପାନ୍ତ ଅଞ୍ଚଳରେ ମାଓ ପୋଷ୍ଟର ଦେଖିବାକୁ ମିଳିଛି । ଗତ କିଛି ଦିନ ପୂର୍ବରୁ ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ମାଓବାଦୀ ଓ ଯବାନଙ୍କ ମଧ୍ୟରେ ସଂଘର୍ଷ ଯୋଗୁଁ ମାଓ ଗତିବିଧି ଜିଲ୍ଲାରେ ସକ୍ରିୟ ଥିବା ସ୍ପଷ୍ଟ ହୋଇଥିବା ବେଳେ ମଙ୍ଗଳବାର ଦିନ ଜିଲ୍ଲାର ବିଭିନ୍ନ ସ୍ଥାନରେ କେକେବିଏନ ମାଓ ଡିଭିଜନ ପକ୍ଷରୁ ଲୋକଙ୍କୁ ଗଞ୍ଜେଇ ଚାଷ ନକରିବାକୁ ପରାମର୍ଶ ଦେଇ ମାଓ ପୋଷ୍ଟର ଲଗାଯାଇଥିବା ଦେଖିବାକୁ ମିଳିଛି ।
ଏହାମଧ୍ୟ ପଢନ୍ତୁ.. କନ୍ଧମାଳରେ ପୁଣି ମାତିଲେ ମାଓବାଦୀ , ଫିରିଙ୍ଗିଆରେ ଲଗାଇଲେ ଲାଲ୍ ବ୍ୟାନର୍
ଜିଲ୍ଲାର ବିଭିନ୍ନ ଆଭ୍ୟନ୍ତରୀଣ ଜଙ୍ଗଲ ଅଞ୍ଚଳରେ ବେଆଇନ ଗଞ୍ଜେଇ ଚାଷ କରାଯାଉଥିବା ନେଇ ସୂଚନା ରହିଛି । ବିଶେଷ ଭାବରେ ଏହି ନୀଳ ଜହରର ଚାଷ କାର୍ଯ୍ୟ ଜିଲ୍ଲା ପ୍ରଶାସନ, ପୋଲିସ, ଅବକାରୀ ଓ ଜଙ୍ଗଲ ବିଭାଗ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଆସୁଛି । ବୌଦ୍ଧ ଜିଲ୍ଲାର କଣ୍ଟାମାଳ, ମନମୁଣ୍ଡା, ବାଉଁଶୁଣୀ ଓ ବଉଦ ଥାନା ଅନ୍ତର୍ଗତ ବିଭିନ୍ନ ଆଭ୍ୟନ୍ତରୀଣ ଜଙ୍ଗଲ ଅଞ୍ଚଳରେ ହଜାର ହଜାର ଏକର ଜଙ୍ଗଲ ଜମିରେ ବେଆଇନ ଗଞ୍ଜେଇ ଚାଷ ହେଉଥିବା ଖବର ରହିଛି ।
ତେବେ ଚଳିତ ବର୍ଷ ବୌଦ୍ଧ ଜିଲ୍ଲାର ମନମୁଣ୍ଡା ଥାନା ଅନ୍ତର୍ଗତ ବିଭିନ୍ନ ଆଭ୍ୟନ୍ତରୀଣ ଜଙ୍ଗଲ ଅଞ୍ଚଳରେ ମାଓ ଗତିବିଧି ସକ୍ରିୟ ଥିବା ସୂଚନା ମିଳିଛି । ଗତ କିଛି ଦିନ ତଳେ ଜିଲ୍ଲା ପୋଲିସର ସୁରକ୍ଷା କର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିବା ନେଇ ବୌଦ୍ଧ ଏସ୍ପି ସୂଚନା ଦେଇଥିଲେ । ଏଥିସହିତ ସେଠାରୁ ବିପୁଳ ମାଓ ସାମଗ୍ରୀ ଜବତ କରାଯାଇଥିଲା ।