ବୌଦ୍ଧ:କିଛି ଦିନର ନୀରବତା ପରେ ବୌଦ୍ଧରେ ଉପସ୍ଥିତ ଜାହିର କଲା ଲାଲ ବାହିନୀ । ଜିଲ୍ଲାର ମନମୁଣ୍ଡା ଥାନା ଅନ୍ତର୍ଗତ ନୁର୍ପା ଛକରେ ଲାଗିଲା ମାଓ ପୋଷ୍ଟର । କେକେବିଏନ ମାଓବାଦୀ ସଂଗଠନ ପକ୍ଷରୁ ମାଓ ପୋଷ୍ଟର ଲାଗିଥିବା ଜଣାପଡ଼ିଛି । ଗଞ୍ଜେଇ ଚାଷ ବନ୍ଦ କରିବା ପାଇଁ ପୋଷ୍ଟର ମାରି ପୋଲିସକୁ ଚେତାବନୀ ଦେଇଛନ୍ତି ମାଓବାଦୀ । ଅନ୍ୟପଟେ ଏନେଇ ସକାଳୁ ସକାଳୁ ମାଓ ପୋଷ୍ଟର ଲାଗିଥିବା ଦେଖି ଆତଙ୍କିତ ହୋଇ ପଡ଼ିଛନ୍ତି ସ୍ଥାନୀୟ ବାସିନ୍ଦା ।
ବୌଦ୍ଧ ଜିଲ୍ଲାର ବିଭିନ୍ନ ଆଭ୍ୟନ୍ତରୀଣ ଅଞ୍ଚଳରେ ମାଓ ଗତିବିଧି ଦୀର୍ଘ ଦିନ ହେଲା ସକ୍ରିୟ ରହିବା ସହିତ ଧିରେ ଧିରେ ସଂଗଠିତ ହେବାରେ ଲାଗିଛି । କିଛି ବର୍ଷ ତଳେ ଜିଲ୍ଲାର ବେଆଇନ ଗଞ୍ଜେଇ ଚାଷ ସହିତ ମାଓବାଦୀଙ୍କ ସମ୍ପର୍କ ଯୋଡ଼ା ଯାଉଥିବା ବେଳେ ବର୍ତ୍ତମାନ ଏଭଳି ବେଆଇନ କାର୍ଯ୍ୟକୁ ମାଓ ସଂଗଠନ ପକ୍ଷରୁ ସମ୍ପୂର୍ଣ୍ଣ ବିରୋଧ କରାଯାଇଛି । ଗତ ମାସକ ମଧ୍ୟରେ ଦୁଇ ଦୁଇଥର ମାଓ କ୍ୟାମ୍ପ ଠାବ କରି ଏହାକୁ ଧ୍ବଂସ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଥିଲା । ଏହାଛଡା ପାଞ୍ଚ ଦିନ ପୂର୍ବରୁ ବୌଦ୍ଧ ଜିଲ୍ଲାର ବାତେପଙ୍ଗା ଜଙ୍ଗଲ ଅଞ୍ଚଳରେ ମାଓବାଦୀଙ୍କ ଆକ୍ରମଣରେ ତିନି ଜଣ ସୁରକ୍ଷାକର୍ମୀ ଆହତ ଭଳି ଘଟଣା ଘଟିଥିଲା ।