ଓଡିଶା

odisha

ETV Bharat / state

କମୁଛି ବନ୍ୟା ପାଣି, ବଢୁଛି ଲୋକଙ୍କ ଦୁର୍ଦ୍ଦଶା - କଣ୍ଟାମାଳ ବିଧାୟକ ମହୀଧର ରଣାଙ୍କ ପ୍ରତିକ୍ରିୟା

ବୌଦ୍ଧରେ ବନ୍ୟା ପରେ ବଢୁଛି ଲୋକଙ୍କ ଦୁର୍ଦ୍ଦଶା । ଚଳିତ ବର୍ଷ ବର୍ଷା ଯୋଗୁଁ ହୋଇଥିବା ବନ୍ୟାଜନିତ କ୍ଷୟକ୍ଷତି ରାଜ୍ୟର ଅନେକ ଅଞ୍ଚଳରେ ସମସ୍ୟା ସୃଷ୍ଟି ହୋଇଛି । ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି । ମହାନଦୀ ସମେତ ତେଲନଦୀ ଓ ଅନ୍ୟ ନଦୀ କୂଳରେ ହୋଇଥିବା ଏହି କ୍ଷୟକ୍ଷତିି ସମ୍ପର୍କରେ ସୂଚନା ଦେଇଛନ୍ତି ସ୍ଥାନୀୟ ବିଧାୟକ । ଅଧିକ ପଢ଼ନ୍ତୁ

କମୁଛି ବନ୍ୟା ପାଣି, ବଢୁଛି ଲୋକଙ୍କ ଦୁର୍ଦ୍ଦଶା
କମୁଛି ବନ୍ୟା ପାଣି, ବଢୁଛି ଲୋକଙ୍କ ଦୁର୍ଦ୍ଦଶା

By

Published : Sep 8, 2022, 6:12 PM IST

ବୌଦ୍ଧ :ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ବୌଦ୍ଧ ସ୍ଥିତି ବେହାଲ ହୋଇପଡିଛି । ଚଳିତ ବନ୍ୟାରେ ବିଭିନ୍ନ ନଦୀରେ ବନ୍ୟା ଯୋଗୁଁ ନଦୀ କୂଳିଆ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ଅନେକ ରାସ୍ତାଘାଟ ଧୋଇନେବା ସହିତ କେତେକ ସ୍ଥାନରେ ଘାଇ ସୃଷ୍ଟି ହୋଇଛି । ଏହି କ୍ରମରେ ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକରେ ଚଳିତ ବର୍ଷ ବନ୍ୟା ଯୋଗୁଁ ବ୍ୟାପକ ଫସଲ ନଷ୍ଟ ହୋଇଥିବା ସୂଚନା ମିଳିଛି ।

କମୁଛି ବନ୍ୟା ପାଣି, ବଢୁଛି ଲୋକଙ୍କ ଦୁର୍ଦ୍ଦଶା

ସେହିପରି ଜିଲ୍ଲାର କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ମହାନଦୀ ସହିତ ତେଲନଦୀ, ବାଘନଦୀ ଓ ଖଡଙ୍ଗ ନଦୀ ଭଳି ଅନେକ ନଦୀନାଳରେ ବନ୍ୟା ଜଳ ଆସି ଅନେକ କ୍ଷତି ହୋଇଛି । ଅନେକ ସ୍ଥାନରେ ଗରିବ ଲୋକଙ୍କ ଚାଳମାଟି ଘର ଭୁଶୁଡ଼ି ପଡିଥିବା ବେଳେ ଅନେକ ରାସ୍ତାଘାଟ ଧୋଇଯାଇଛି । ବନ୍ୟା ଆସି ହଜାର ହଜାର ଏକର ଚାଷଜମି ବାଲିଚର ହେବାସହ ଓ ପନିପରିବା ଚାଷ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ଏହାଛଡା ଅନେକ ସ୍ଥାନରେ ରାସ୍ତା ଧୋଇ ହୋଇଯିବା ସହିତ ମହାନଦୀ କୂଳର କେତେକ ସ୍ଥାନରେ ଘାଇ ସୃଷ୍ଟି ହୋଇଛି । ବିଶେଷ ଭାବରେ କଣ୍ଟାମାଳ ବ୍ଲକର ଫାସେଡ ଠାରୁ ଘଣ୍ଟାପଡା ଓ କଣ୍ଟାମାଳ ଠାରୁ ମନମୁଣ୍ଡା ପର୍ଯ୍ୟନ୍ତ ଯାଇଥିବା ତେଲନଦୀ କୂଳର ଅନେକ ସ୍ଥାନରେ କ୍ଷତି ହୋଇଛି ।

ଏହାଛଡା ବାଉଁଶୁଣୀର ଘିଙ୍ଗରାପଡା ଠାରେ ତିରିଶ ଫୁଟର ଘାଇ ଯୋଗୁଁ ମହାନଦୀ କୂଳରେ ବସବାସ କରୁଥିବା ଅନେକ ପରିବାର ସମେତ ବାଉଁଶୁଣୀର ପ୍ରସିଦ୍ଧ ଶୈବପୀଠ ପ୍ରତି ବିପଦ ସୃଷ୍ଟି ହୋଇଛି । ଏଥିସହିତ ବାଉଁଶୁଣୀ ଠାରେ ଦୀର୍ଘ ଦିନରୁ ମହାନଦୀ ଉପରେ ଏକ ସେତୁ ନିର୍ମାଣ ପାଇଁ ଦାବି ହୋଇ ଆସୁଥିବାରୁ ଏନେଇ କଣ୍ଟାମାଳ ବିଧାୟକ ମହୀଧର ରଣା କହିଛନ୍ତି, " ଲଗାଣ ବର୍ଷା ଯୋଗୁଁ ବନ୍ୟା ପ୍ରଭାବରେ ଆମର ତେଲ ନଦୀ, ଖଡ଼ଙ୍ଗ ନଦୀରେ ବନ୍ୟା ଆସିବା ଯୋଗୁଁ ନଦୀ କୂଳରେ ବସବାସ କରୁଥିବା ଲୋକଙ୍କ କ୍ଷୟକ୍ଷତି ହୋଇଛି । ଏନେଇ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଛି । ଏହାର କ୍ଷୟକ୍ଷତି ପାଇଁ ସରକାର ଘୋଷଣା କରିବେ ଏବଂ ଅନୁଦାନ ଦେବେ ତାର ମରାମତି ହେବ କିମ୍ବା ତାପୂର୍ବରୁ ମଧ୍ୟ ଆମେ ଚେଷ୍ଟା କରୁଛୁ ତାର ମରାମତି କରାଯିବ ପାଇଁ । ବାଉଁଶୁଣୀ ଠାରେ ମହାନଦୀ ଉପରେ ଏକ ସେତୁ ନିର୍ମାଣ ପାଇଁ ମୁଁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛି । ସରକାର ଏହାର ଷ୍ଟାଟସ୍ ରିପୋର୍ଟ ମାଗିଛନ୍ତି । ଏହା ଏବେ ସରକାରଙ୍କ ବିଚାରାଧୀନ ରହିଛି । ସେପଟେ ଲୋକଙ୍କ ଅସୁବିଧା ସଂପର୍କରେ ଆମେ ଏସଆର୍‌ସିଙ୍କୁ ଜଣାଇଛୁ ।"

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details