ବୌଦ୍ଧ: ଭୂତକୋଠୀ ପାଲଟିଛି ଆୟୁର୍ବେଦିକ ଚିକିତ୍ସାଳୟ । 5ଟି ପଞ୍ଚାୟତର ସାହା ଭରସା ଏହି ଚିକିତ୍ସାଳୟ ବର୍ତ୍ତମାନ ଅତ୍ୟନ୍ତ ଅବହେଳିତ ହୋଇପଡ଼ିଛି । ଏହି ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟ ଜଣେ ଜଗୁଆଳୀ ଭରସାରେ ରହିଥିବାବେଳେ ରୋଗୀମାନଙ୍କୁ ଚିକିତ୍ସା ସୁବିଧା ମିଳୁନଥିବା ଅଭିଯୋଗ ହୋଇଛି । ସ୍ବାସ୍ଥ୍ୟ ସେବା ପାଇଁ 5ଟି ପଞ୍ଚାୟତର ଅଧିବାସୀ ଏହା ଉପରେ ନିର୍ଭରଶୀଳ। ହେଲେ ଅଞ୍ଚଳର ଏକମାତ୍ର ଆୟୁର୍ବେଦିକ ଚିକିତ୍ସାଳୟ ବର୍ତ୍ତମାନ ନାନା ପ୍ରକାର ସମସ୍ୟା ଘେରରେ ଥିବା ଦେଖିବାକୁ ମିଳିଛି । ଏପରିକି ଡାକ୍ତରଖାନାରେ ଡାକ୍ତର ପଦବୀ ଦୀର୍ଘ ବର୍ଷ ହେଲା ଖାଲି ପଡିଥିବା ଜଣାପଡିଛି।
ବୌଦ୍ଧ ଜିଲ୍ଲାର ବିଭିନ୍ନ ଅଞ୍ଚଳର ଲୋକଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ଲକ୍ଷ୍ୟରେ ପ୍ରତିଷ୍ଠା କରାଯାଇଥିଲା ଆୟୁର୍ବେଦିକ ଚିକିତ୍ସାଳୟ । ଏଭଳି ଆୟୁର୍ବେଦିକ ଚିକିତ୍ସାଳୟ ଜିଲ୍ଲାର 10ଟି ସ୍ଥାନରେ ଦୀର୍ଘ ବର୍ଷ ପୂର୍ବରୁ ପ୍ରତିଷ୍ଠା କରାଯାଇଥିଲା । ତେବେ ପରିବର୍ତ୍ତିତ ସମୟରେ ଏସବୁ ଆୟୁର୍ବେଦିକ ଚିକିତ୍ସାଳୟରେ ବ୍ୟାପକ ସମସ୍ୟା ଦେଖାଦେଲା । ସରକାରଙ୍କ ତରଫରୁ ଏଭଳି ଆୟୁର୍ବେଦିକ ଚିକିତ୍ସାଳୟ ଅପେକ୍ଷା ଆଧୁନିକ ଚିକିତ୍ସା ପଦ୍ଧତି ଉପରେ ଗୁରୁତ୍ବ ଦିଆଯିବା ସହିତ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ପ୍ରତିଷ୍ଠା କରାଗଲା ।
ତେବେ ବୌଦ୍ଧ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଦହ୍ୟା ଠାରେ ସ୍ବାସ୍ଥ୍ୟସେବାର ବିକଳ ଚିତ୍ର ଦେଖିବାକୁ ମିଳିଛି । ଦହ୍ୟା ପଞ୍ଚାୟତ ସମେତ ଖଲିଆପାଲି, ମନୁପାଲି, କସୁଉରବନ୍ଧ ଭଳି ପଞ୍ଚାୟତର ଅଧିବାସୀ ଦୀର୍ଘ ବର୍ଷ ହେଲା ଉକ୍ତ ଆୟୁର୍ବେଦିକ ଚିକିତ୍ସାଳୟ ଉପରେ ନିର୍ଭର କରିଆସୁଥିଲେ । କିନ୍ତୁ ଗତ କିଛି ବର୍ଷ ହେଲା ଏହି ଆୟୁର୍ବେଦିକ ଚିକିତ୍ସାଳୟରେ ଡାକ୍ତର ଅଭାବ ସାଙ୍ଗକୁ ନାନାଦି ସମସ୍ୟା ଘେରରେ ରହିଥିବା ଅଭିଯୋଗ ହୋଇଛି । ପ୍ରାୟ 70 ବର୍ଷ ପୂର୍ବେ ନିର୍ମାଣ ହୋଇଥିବା ଏହି ଆୟୁର୍ବେଦିକ ଚିକିତ୍ସାଳୟର ଚାରିପାଖରେ ଲଟା ବୁଦା ଆଦି ମାଡିଯାଇଥିବାବେଳେ ସମ୍ପୂର୍ଣ୍ଣ ପରିତ୍ୟକ୍ତ ହୋଇପଡ଼ିଛି ।