ବୌଦ୍ଧ:ବସ୍ ସହ ମୁହାଁମୁହିଁ ଧକ୍କା ହେଲା ପିକଅପ୍ ଭ୍ୟାନ । ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ଗତକାଲି (ମଙ୍ଗଳବାର) ବିଳମ୍ବିତ ରାତିରେ ବୌଦ୍ଧ ଜିଲ୍ଲା ୫୭ ନମ୍ବର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି । ଏଥିରେ ପିକଅପ୍ ଭ୍ୟାନ ଡ୍ରାଇଭରଙ୍କ ସମେତ ୧୧ ଜଣ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ପୁରୁଣାକଟକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ଡ୍ରାଇଭର ଜଣକର ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି । ପୋଲିସ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଛି ।
ସୂଚନା ଅନୁଯାୟୀ, ଦୁର୍ଘଟଣାଗ୍ରସ୍ତ ବସ୍ରେ ପ୍ରାୟ ୫୦ ଜଣ ଯାତ୍ରୀ ଥିଲେ । ବଡ଼ପଣ୍ଡା ନାମକ ଏହି ବସଟି ବ୍ରହ୍ମପୁରରୁ ପାଇକମାଳ ଅଭିମୁଖେ ଯାଉଥିଲା । ହେଲେ ବୌଦ୍ଧ ଜିଲ୍ଲାର ୫୭ନଂ ଜାତୀୟ ରାଜପଥର ଚାରିଛକ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିପରୀତ ଦିଗରୁ ଆସୁଥିବା ପିକ୍ଅପ୍ ଭ୍ୟାନ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଗତକାଲି ରାତି ପ୍ରାୟ ୧୨ଟା ବେଳେ ଏହି ଦୁର୍ଘଟଣା ଘଟିଥିଲା । ଏଥିରେ ମୋଟ ୧୧ ଜଣ ଆହତ ହୋଇଥିଲେ । ଆହତ ଯାତ୍ରୀଙ୍କ ସହ ପିକଅପ୍ ଭ୍ୟାନ ଡ୍ରାଇଭରକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପୁରୁଣାକଟକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ପିକଅପ ଭ୍ୟାନ ଡ୍ରାଇଭର ମଦ ନିଶାରେ ବସ୍କୁ ଧକ୍କା ଦେଇଥିବା ବସ୍ ଡ୍ରାଇଭର ଅଭିଯୋଗ କରିଛନ୍ତି ।
ଖବର ପାଇ ପୁରୁଣାକଟକ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛି । ତେବେ ବୌଦ୍ଧ ଜିଲ୍ଲା ଦେଇ ଯାଇଥିବା 57 ନମ୍ବର ଜାତୀୟ ରାଜପଥରେ ବାରମ୍ବାର ଏଭଳି ସଡକ ଦୁର୍ଘଟଣା ଘଟୁଥିବାରୁ ବିଭିନ୍ନ ମହଲରେ ଚିନ୍ତା ପ୍ରକାଶ ପାଇଛି । ଦୁଇ ଦିନ ତଳେ ଗୋଟିଏ କାର୍ ଭାରସାମ୍ୟ ହରାଇ ଏହି ଜାତୀୟ ରାଜପଥ କଡ଼ରେ ଥିବା ଜଣକ ଘର ଭିତରେ ପଶିଯିବାରୁ ଜଣେ ମହିଳାଙ୍କୁ ଦୁଃଖଦ ମୃତ୍ୟୁ ଘଟିଥିଲା ।