ବୌଦ୍ଧ: ବୌଦ୍ଧରେ ସରକାରୀ ଜମି ହେଉଛି ହଡ଼ପ । ଜିଲ୍ଲାର ବିଭିନ୍ନ ସ୍ଥାନରେ ଜମି କିଣାବିକା ଓ ସରକାରୀ ଜମି ହଡ଼ପ ଭଳି ବଡ ଦୁର୍ନୀତିର ବାରମ୍ବାର ଅଭିଯୋଗ ହୋଇଆସୁଛି । ଏଭଳି ଦୁର୍ନୀତି ସମ୍ପର୍କରେ ଜଣାପଡିବା ପରେ ତହସିଲ କାର୍ଯ୍ୟାଳୟରୁ ସେସବୁ କଳା କାରବାରର ରେକର୍ଡ ଗାୟବ ହୋଇଯାଇଥିଲା । ଏହାକୁ ନେଇ ତହସିଲ ପକ୍ଷରୁ ଥାନାରେ ଏତଲା ଦାୟର କରାଯାଇଥିଲା । ଏକ ସ୍ବତନ୍ତ୍ର ଜିଲ୍ଲାର ମାନ୍ୟତା ପାଇଲା ପରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଜମି ଦୁର୍ନୀତି ସର୍ବକାଳୀନ ରେକର୍ଡ଼ କରିଥିଲା ।
ଭୂମିହୀନ ପ୍ରଜାଙ୍କ ପାଇଁ ସରକାର ଏଫ୍ଆରଏ ଓ ବସୁନ୍ଧରା ଭଳି ଅନେକ ଯୋଜନା ମାଧ୍ୟମରେ ସରକାରୀ ଓ ଜଙ୍ଗଲ ଜମିପଟ୍ଟା ହିତାଧିକାରୀଙ୍କୁ ଯୋଗାଇ ଦେବାକୁ ବ୍ୟବସ୍ଥା କରିଛନ୍ତି । କିନ୍ତୁ ବୌଦ୍ଧ ଜିଲ୍ଲାରେ ଥିବା ତିନୋଟି ତହସିଲ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଏହି ଜମି କିଣାବିକା ଓ ସରକାରୀ ଜମି ହଡ଼ପ ଦୁର୍ନୀତିର ଏକ ବଡ଼ ଧରଣର ରାକେଟ କାମ କରୁଛି । ପ୍ରାୟ 20 ବର୍ଷ ତଳେ ଉଭୟ ବୌଦ୍ଧ ଓ ହରଭଙ୍ଗା ତହସିଲଦାର ଭାବରେ କାର୍ଯ୍ୟ କରୁଥିବା ତତ୍କାଳୀନ କରିତକର୍ମା ମହିଳା ତହସିଲଦାରଙ୍କ ନେତୃତ୍ବରେ ସରକାରୀ ଜମି ଦୁର୍ନୀତି ହେଉଥିବାର ଅଭିଯୋଗ ହୋଇ ଆସୁଥିଲା । ଧନୀ ଶ୍ରେଣୀୟ ତଥା ପ୍ରଭାବଶାଳୀ ବ୍ୟକ୍ତି ଏକର ଏକର ସରକାରୀ ଜମିକୁ ତହସିଲଦାରଙ୍କ ଜରିଆରେ ବ୍ୟାପକ ଅନିୟମିତତା କରି ହାତେଇଥିବା ଅଭିଯୋଗ ହୋଇଥିଲା ।