ବୌଦ୍ଧ: ଆଲୋକର ପର୍ବ ଦୀପାବଳି ଅବସରରେ ବୌଦ୍ଧ ଜିଲ୍ଲାର ବିଭିନ୍ନ ପୂଜା ମଣ୍ଡପରେ ପୂଜା ପାଉଛନ୍ତି ମାଆ ଶ୍ୟାମାକାଳୀ । କାଳୀ ପୂଜା ଅବସରରେ ବୌଦ୍ଧର କଣ୍ଟାମାଳ ଠାରେ ମହିଷାସୁର ଦରବାର ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ୬ ଦିନ ଧରି ଚାଲିଥିବା ଏହି ଉତ୍ସବରେ କଳାକାରଙ୍କ କଂସ, ମୁରାସୁର ଓ ମହିଷାସୁର ବେଶରେ ଅଭିନୟ ଦର୍ଶକଙ୍କ ମନ ଜିଣିଛି । କଳାକାରଙ୍କ ନିଖୁଣ ଅଭିନୟ ପ୍ରତ୍ୟେକ ଦିନ ବିଳମ୍ବିତ ରାତି ପର୍ଯ୍ୟନ୍ତ ହଜାର ହଜାର ଦର୍ଶକମାନଙ୍କୁ ବାନ୍ଧି ରଖୁଛି । ତେବେ ଲୋକକଳାର ବିକାଶ ଦିଗରେ ଏଭଳି କାର୍ଯ୍ୟକ୍ରମକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି ।
ଏହା ମଧ୍ୟ ପଢନ୍ତୁ: ଶ୍ୟାମାକାଳୀ ପୂଜା ପାଇଁ ଉତ୍ସବ ମୁଖର ବୌଦ୍ଧ ଜିଲ୍ଲା
ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ପୂଜା ମଣ୍ଡପ ଗୁଡ଼ିକରେ ମାଆ ଶ୍ୟାମାକାଳୀଙ୍କ ପୂଜନ ଉତ୍ସବ ଅନୁଷ୍ଠିତ ହୋଇଛି । ଜିଲ୍ଲାର ହରଭଙ୍ଗା, ବୌଦ୍ଧ ଓ କଣ୍ଟାମାଳ ବ୍ଲକର ବିଭିନ୍ନ ସ୍ଥାନରେ ମହାକାଳୀଙ୍କୁ ଆବାହନ ପୂର୍ବକ ପୂଜାର୍ଚ୍ଚନା କରାଯାଇଥିଲା । କାଳୀ ପୂଜା ଅବସରରେ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଆଧ୍ୟାତ୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଦୀର୍ଘ ୩୫ ବର୍ଷ ଧରି କଣ୍ଟାମାଳର କଲରାକୋଠା ପୂଜା କମିଟି ପକ୍ଷରୁ ମାଆ ଶ୍ୟାମାକାଳୀଙ୍କ ପୂଜନ ସହିତ ୬ ଦିନ ଧରି ମହିଷାସୁର ଦରବାର ଆୟୋଜନ କରାଯାଇଆସୁଛି । ଚଳିତ ବର୍ଷ ମଧ୍ୟ ବେଶ୍ ଆଡମ୍ବରରେ ମହିଷାସୁର ଦରବାର ଆୟୋଜିତ କରାଯାଇଥିବା ବେଳେ ପ୍ରତ୍ୟେହ ହଜାର ହଜାର ଦର୍ଶକଙ୍କ ଭିଡ ଜମିଥିଲା ।