ବୌଦ୍ଧ: ଉଦଯାପିତ ହେଲା ଭୈରବୀ ମହୋତ୍ସବ । ଏଥିରେ ଲୋକକଳା ଓ ଲୋକନୃତ୍ୟ ସହିତ ପାରମ୍ପରିକ ଖାଦ୍ୟ ଓ ହାତ ତିଆରି ସାମଗ୍ରୀର ବେଶ ଚାହିଦା ରହିଥିଲା । ତେବେ 6 ଦିନ ଧରି ଚାଲିଥିବା ମହୋତ୍ସବ ଗତକାଲି ଶେଷ ହୋଇଯାଇଛି ।
ଲୋକବାଦ୍ୟର ତାଳେତାଳେ ପାରମ୍ପରିକ ନୃତ୍ୟ ସଂଗୀତରେ ଦୁଲୁକୁଥିବା ମହୋତ୍ସବ ଉଦଯାପିତ ହୋଇଛି । ଅଞ୍ଚଳର ଲୁପ୍ତପ୍ରାୟ ଲୋକକଳାକୁ ବଞ୍ଚାଇ ରଖିବାକୁ ମହୋତ୍ସବରେ ପ୍ରଚେଷ୍ଟା କରାଯାଇଥିବା ବେଳେ ସେଠାରେ ଖୋଲା ଯାଇଥିବା ପଲ୍ଲିଶ୍ରୀ ମେଳାରେ ଜଙ୍ଗଲ ଜାତ ପଦାର୍ଥ ସହିତ ବାନ୍ଧକଳା ଓ ବିଭିନ୍ନ ହାତ ତିଆରି ସାମଗ୍ରୀର ବେଶ ଚାହିଦା ଦେଖିବାକୁ ମିଳିଥିଲା । ବୌଦ୍ଧ ଜିଲ୍ଲା ପୁରୁଣାକଟକ ଠାରେ 6 ଦିନ ଧରି ଚାଲିଥିବା ମାଆ ଭୈରବୀ ମହୋତ୍ସବ ଆନନ୍ଦ ଉଲ୍ଲାସର ସହିତ ଉଦଯାପିତ ହୋଇଛି । ତେବେ ଦୀର୍ଘ ୬ ଦିନ ଧରି ମହୋତ୍ସବ ମଣ୍ଡପରେ ବୌଦ୍ଧ ଜିଲ୍ଲା ସମେତ ଓଡ଼ିଶାର ବିଭିନ୍ନ ଅଞ୍ଚଳର ପାରମ୍ପରିକ ଲୋକନୃତ୍ୟ, ସଂସ୍କୃତି ପ୍ରଦର୍ଶନ କରାଯାଇଥିଲା । ଉଦଘାଟନ ଓ ଉଦଯାପନୀ ଉତ୍ସବରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଯୋଗ ଦେଇଥିବା ବେଳେ ବିଭିନ୍ନ ଦିନରେ ରାଜ୍ୟ ର ବହୁ ମନ୍ତ୍ରୀ, କଳାକାର, ପ୍ରଶାସନିକ ଅଧିକାରୀ ଯୋଗ ଦେଇଥିଲେ ।
ଏହା ମଧ୍ୟ ପଢନ୍ତୁ - ପାରମ୍ପରିକ ଲୋକନୃତ୍ୟ ସଙ୍ଗୀତରେ କମ୍ପୁଛି ଭୈରବୀ ମହୋତ୍ସବ
ଜିଲ୍ଲାର ଲୁପ୍ତପ୍ରାୟ ଲୋକକଳାକୁ ବଞ୍ଚାଇ ରଖିବାକୁ ମଞ୍ଚରେ ଭରପୁର ଉଦ୍ୟମ କରାଯାଇଥିଲା । ଡାଲଖାଇ, ମାଏଲାଜଡ, ରସରକେଲି, ଝାଲିଆ ଶବର, କୃଷ୍ଣ ଗୁରୁ ଭଳି ପାରମ୍ପରିକ ଲୋକକଳା ସହିତ ଓଡ଼ିଶାର ସୁନାମଧନ୍ୟ କଳାକାର ମାନେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏହାଛଡ଼ା ମହୋତ୍ସବ ପଡ଼ିଆରେ ଖୋଲିଥିବା ଷ୍ଟଲ୍ରେ ପାରମ୍ପରିକ ଖାଦ୍ୟ ଷ୍ଟଲ୍ ସହିତ ବିଭିନ୍ନ ହାତ ତିଆରି ସାମଗ୍ରୀ, ବାନ୍ଧକଳା, ଜଙ୍ଗଲ ଜାତ ପଦାର୍ଥର ବେଶ ଚାହିଦା ରହିଥିଲା । ଝୁଣା, ଲାଖ, ମହୁ ସହିତ ପାରମ୍ପରିକ ଶୈଳୀରେ ଘଣା ହାଣ୍ଡିରେ ପ୍ରସ୍ତୁତ ମୁଗ, କୋଳଥ, ଝୁଡ଼ୁଙ୍ଗ ଡାଲିର ବେଶ ଚାହିଦା ଦେଖିବାକୁ ମିଳିଥିଲା । ବିଳମ୍ବିତ ରାତି ପର୍ଯ୍ୟନ୍ତ ମହୋତ୍ସବ ମଣ୍ଡପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଷ୍ଟଲରେ ପ୍ରବଳ ଜନ ସମାଗମ ହୋଇଥିଲା । ଦୀର୍ଘ ୬ ଦିନ ଧରି ଚାଲିଥିବା ଏହି ଭୈରବୀ ମହୋତ୍ସବ ଅଞ୍ଚଳର କଳା, ସଂସ୍କୃତିର ବାର୍ତ୍ତା ପ୍ରଚାର କରିଥିବା ବେଳେ ଆଗାମୀ ଦିନରେ ଏହାକୁ ଅଧିକ ଆକର୍ଷଣୀୟ କରିବାକୁ ପ୍ରଚେଷ୍ଟା କରାଯିବ ବୋଲି ଆୟୋଜକ କମିଟି ପକ୍ଷରୁ ସୂଚନା ମିଳିଛି ।
ଇଟିଭି ଭାରତ, ବୌଦ୍ଧ