ବୌଦ୍ଧ: ଭଗବାନ ବୁଦ୍ଧ ଓ ବୌଦ୍ଧ ଧର୍ମକୁ ନେଇ ବୌଦ୍ଧ ଅଞ୍ଚଳର ପରିକଳ୍ପନା । ଜିଲ୍ଲା ସଦର ମହକୁମାଠାରୁ ନେଇ ଶ୍ୟାମସୁନ୍ଦରପୁର ଓ ପରଗଳପୁର ଭଳି ସ୍ଥାନରେ ପ୍ରାଚୀନ ବୌଦ୍ଧ ବିହାରର ଧ୍ବଂସାବଶେଷ ସହିତ ବୁଦ୍ଧଙ୍କ ପ୍ରତିମୂର୍ତ୍ତି ରହିଛି । ଏହାଛଡା ଜିଲ୍ଲାର ଏନଏସି ଛକ, ବୌଦ୍ଧ ମହାନଦୀ ସେତୁଛକ, ମନମୁଣ୍ଡା ତେଲନଦୀ ସେତୁଛକ ଓ ମାଧପୁର ଛକ ଠାରେ ବୁଦ୍ଧଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା କରାଯାଇଛି । ତେଣୁ ମେ 5ରେ ବୌଦ୍ଧ ଧର୍ମର ଏହି ପ୍ରାଚୀନ ତଥା ଐତିହାସିକ ଜିଲ୍ଲାର ବିଭିନ୍ନ ସ୍ଥାନରେ ବୁଦ୍ଧ ଜୟନ୍ତୀ ଉତ୍ସବ ହର୍ଷ ଉଲ୍ଲାସର ସହିତ ପାଳନ କରାଯାଏ ।
ଶୁକ୍ରବାର ବୁଦ୍ଧ ଜୟନ୍ତୀ ଉତ୍ସବ ବୌଦ୍ଧ ଜିଲ୍ଲା ପ୍ରଶାସନ ସହିତ ବିଭିନ୍ନ ସଂଗଠନ ପକ୍ଷରୁ ପାଳନ କରାଯାଇଛି । ବୌଦ୍ଧର ରାଜବାଟୀ ନିକଟରେ ଥିବା ବୁଦ୍ଧ ପାର୍କରେ ବୁଢାରଜା ଭାବରେ ପରିଚିତ ବୁଦ୍ଧଙ୍କ ପ୍ରତିମା ନିକଟରେ ପୂଜାର୍ଚ୍ଚନା କରାଯାଇଥିଲା । ଜିଲ୍ଲା ସଦର ମହକୁମାର ରାମେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଥିବା କାର୍ତ୍ତିକେୟଙ୍କ ରୂପରେ ପୂଜିତ ବୁଦ୍ଧଙ୍କ ସହିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଓ ଏନ ଏସି କାର୍ଯ୍ୟାଳୟ ପରିସରରେ ଥିବା ବୁଦ୍ଧଙ୍କ ନିକଟରେ ପୁଷ୍ପ ମାଲ୍ୟ ଅର୍ପଣ ସହିତ ପୂଜାର୍ଚ୍ଚନା କରାଯାଇଥିଲା ।
ଅପରାହ୍ନରେ ହରଭଙ୍ଗା ବ୍ଲକର ପରଗଳପୁର ଓ ଶ୍ୟାମସୁନ୍ଦର ପୁର ଗ୍ରାମ ଦ୍ବୟରେ ଥିବା ଦୁଇ ପ୍ରାଚୀନ ବୌଦ୍ଧ ପୀଠରେ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ ପ୍ରମୁଖ ପହଞ୍ଚି ପୂଜାର୍ଚ୍ଚନା କରିଥିଲେ । ତେବେ ଉକ୍ତ ଦୁଇ ବୌଦ୍ଧ ଧର୍ମର ପୀଠ ଅତ୍ୟନ୍ତ ଅବହେଳିତ ହୋଇ ପଡିରହିଥିବା ନେଇ ଗତ ଚାରି ଦିନ ପୂର୍ବରୁ ‘ଇଟିଭି ଭାରତ’ରେ ଖବର ପ୍ରସାରଣ ହୋଇଥିଲା । ତେଣୁ ଉକ୍ତ ଦୁଇ ପୀଠର ବିକାଶ ପାଇଁ ଗତକାଲି(ଶୁକ୍ରବାର) ଜିଲ୍ଲାପାଳ ସ୍ଥାନୀୟ ନାଗରିକଙ୍କ ସହିତ ଆଲୋଚନା କରିଥିଲେ ।