ବୌଦ୍ଧ: ଆଜି ବିଶ୍ବ ପର୍ଯ୍ୟଟନ ଦିବସ । ଏହି ଅବସରରେ ବୌଦ୍ଧ ଜିଲ୍ଲାର ଅନନ୍ୟ ପ୍ରାକୃତିକ ସୌନ୍ଦର୍ଯ୍ୟ ବିମଣ୍ଡିତ ଶିତଳପାଣି ନିକଟସ୍ଥ ପ୍ରସ୍ତାବିତ ଇକୋ ଟୁରିଜିମ ସ୍ପଟରେ ପର୍ଯ୍ୟଟନର ସମ୍ଭାବନା କିପରି ରହିଛି । ସ୍ଥିତି ପରଖିଛି ଇଟିଭି ଭାରତ ।
ବୌଦ୍ଧରେ ଗୋଟିଏ କିମ୍ବା ଦୁଇଟି ନୁହେଁ ଚାରି ଚାରିଟି ରହିଛି ପର୍ଯ୍ୟଟନ ସ୍ଥଳୀ । ବୌଦ୍ଧ ଜିଲ୍ଲାର ଉପାନ୍ତ କୁଶଙ୍ଗ ପଞ୍ଚାୟତର ଶେଷ ସୀମାର ଏକ ବିସ୍ତୀର୍ଣ୍ଣ ବନ ପ୍ରକୃତି ପ୍ରେମୀଙ୍କ ପାଇଁ ସତେ ଯେପରି ଏକ ଭିନ୍ନ ପୃଥିବୀ ନିର୍ମାଣ କରିଛି । ବୌଦ୍ଧ ଜିଲ୍ଲା ସହିତ ଅନୁଗୁଳ ଓ ନୟାଗଡ଼ ଜିଲ୍ଲା ସୀମାନ୍ତ ଲାଗି ରହିଥିବା ବେଳେ ଏଠାରେ ଶୀତଳପାଣି ସହିତ, ସାତକୋଶିଆ, ଟିକରପଡା ଓ ପଦ୍ମତୋଳା ଅଭୟାରଣ୍ୟର ଅପୂର୍ବ ସମାହାର ଘଟିଛି । ଗୋଟିଏ ପଟରେ ମହାନଦୀର ଶାନ୍ତ ଶୀତଳ ଜଳଧାର ବୋହି ଯାଉଥିବା ବେଳେ ଅନ୍ୟପଟେ ଘଞ୍ଚ ଅରଣ୍ୟ ମଧ୍ୟରୁ ଗର୍ଜନ ସହ ସୁମଧୁର ବନ୍ୟପ୍ରାଣୀଙ୍କ ସ୍ବର ଭାସି ଆସିଥାଏ ।