ବୌଦ୍ଧ: ବଲାଙ୍ଗୀର-ବୌଦ୍ଧ ଦୁଇ ଜିଲ୍ଲା ମଧ୍ୟରେ ସମ୍ପର୍କର ସେତୁ ଭାବେ ହେବାକୁ ଥିବା କଣ୍ଟାମାଳର ତେଲନଦୀ ସେତୁର ନିର୍ମାଣ ସରିଛି । ହେଲେ ଜମି ଅଧିଗ୍ରହଣ ନହେବାରୁ ଅଧାରେ ଅଟକିଛି ଆପ୍ରୋଚ ରୋଡ କାମ । ବହୁ ପ୍ରତୀକ୍ଷିତ ଏହି ବ୍ରିଜ ନିର୍ମାଣ କାର୍ଯ୍ୟ ସରିବାର ଚାରି ବର୍ଷ ବିତିଗଲାଣି । ହେଲେ ବ୍ରିଜ ଦୁଇ ପାର୍ଶ୍ଵର ଆପ୍ରୋଚ ରୋଡ ନିମନ୍ତେ ଜମି ଅଧିଗ୍ରହଣ ହୋଇ ପାରୁ ନଥିବାରୁ କାର୍ଯ୍ୟକ୍ଷମ ହୋଇପାରୁନି ବ୍ରିଜ ।
କଣ୍ଟାମାଳ ନିକଟସ୍ଥ ଟିକ୍ରାପଡା ଘାଟ ନିକଟରେ ନିର୍ମିତ ଏହି ସେତୁ ସିଧାସଳଖ ବୌଦ୍ଧର କଣ୍ଟାମାଳ ଓ ବଲାଙ୍ଗୀର ଜିଲ୍ଲାର ତରଭା ସହରକୁ ଯୋଡିବ । ମାତ୍ର ଦୀର୍ଘଦିନ ହେଲା କଣ୍ଟାମାଳର ତେଲନଦୀ ସେତୁ ନିର୍ମାଣ ସରିଥିଲେ ମଧ୍ୟ ଆପ୍ରୋଚ ରୋଡ ହୋଇ ନପାରିବାରୁ ଆଶା ଆଶଙ୍କାରେ ଅଞ୍ଚଳବାସୀ ।