ବୌଦ୍ଧ:ଜିଲ୍ଲାର ଅନ୍ୟତମ ବାଣିଜ୍ୟିକ ପେଣ୍ଠସ୍ଥଳ ବାଉଁଶୁଣୀ । ଐତିହାସିକ ତଥା ବାଣିଜ୍ୟିକ ପେଣ୍ଠ ସ୍ଥଳର ସମାଧାନ ପାଇଁ ବାରମ୍ବାର ଦାବି କରାଯାଇଥିଲେ ସୁଦ୍ଧା ସମସ୍ୟାର ସମାଧାନ ହୋଇପାରୁ ନଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହ ଆଗାମୀ ଦିନରେ ଆନ୍ଦୋଳନ କରିବା ପାଇଁ ଚେତାବନୀ ଦେଇଛନ୍ତି ଅଞ୍ଚଳବାସୀ ।
ବାଉଁଶୁଣୀ ଗୋଟିଏ ପଞ୍ଚାୟତ ହୋଇଥିଲେ ମଧ୍ୟ ସ୍ବାସ୍ଥ୍ୟ ସେବା, ପୋଲିସ ସେବା, ଗମନାଗମନ ଓ ବାଣିଜ୍ୟ ଦୃଷ୍ଟି କୋଣରୁ ପାଞ୍ଚରୁ ଊର୍ଦ୍ଧ୍ବ ପଞ୍ଚାୟତବାସୀ ବାଉଁଶୁଣୀ ଉପରେ ନିର୍ଭରଶୀଳ । ବାଘନଦୀ ଓମହାନଦୀର ସଙ୍ଗମ ସ୍ଥଳରେ ଅବସ୍ଥିତ ବାଉଁଶୁଣୀ ଅଞ୍ଚଳରେ ନଦୀକୂଳ ଲଙ୍ଘି ଏକ ବିପଦପୂର୍ଣ୍ଣ ସ୍ଥାନ ହୋଇଯାଇଛି । ଏପରିକି ଦ୍ବାଦଶ ଶତାବ୍ଦୀର ଶୈବପୀଠ ପ୍ରତି ମଧ୍ୟ ବିପଦ ସୃଷ୍ଟି ହୋଇଛି । ବାଉଁଶୁଣୀ ଦେଇ 57 ନମ୍ବର ଜାତୀୟ ରାଜପଥ ଯାଇଥିବା ବେଳେ ଏଠାରେ ବାଇପାସ ରାସ୍ତାର ଯଥେଷ୍ଟ ଆବଶ୍ୟକତା ରହିଛି । ବାଉଁଶୁଣୀରେ ଜବରଦଖଲ ସମସ୍ୟା ଓ ଥଇଥାନ ସମସ୍ୟା ସହିତ ବସଷ୍ଟାଣ୍ଡ, ଯାତ୍ରୀ ବିଶ୍ରାମଗାର, ବନୀକରଣ, ଟସର ଶିଳ୍ପ, ଗମନାଗମନ ଭଳି ସମସ୍ୟାର ଲମ୍ବା ତାଲିକା ରହିଛି । ଏନେଇ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ଏପରିକି ବାଉଁଶୁଣୀ ଠାରୁ ବୀରମହାରାଜପୁରକୁ ସଂଯୋଗ ପାଇଁ ମହାନଦୀ ଉପରେ ଏକ ସେତୁ ନିର୍ମାଣ ପାଇଁ ଦୀର୍ଘ ବର୍ଷରୁ ଦାବି ହୋଇ ଆସୁଥିବା ବେଳେ କଣ୍ଟାମାଳ ବିଧାୟକଙ୍କ ବୟାନକୁ ନେଇ ଅଞ୍ଚଳରେ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଛି ।