ବୌଦ୍ଧ:ରାଜ୍ୟର ପ୍ରଥମ ପରିବେଶ ଭିତ୍ତିକ ପ୍ରକଳ୍ପ ନନ୍ଦନବନ । ବୌଦ୍ଧ ଜିଲ୍ଲା ବୀରନରସିଂପୁର ଓ ମଥୁରା ପଞ୍ଚାୟତର ପ୍ରାୟ ୧୫ଶହ ଏକର ପରିମିତ ଅଞ୍ଚଳରେ ଥିବା ନନ୍ଦନବନ ବର୍ତ୍ତମାନ ବିଭାଗୀୟ ଅପାରଗତା ଯୋଗୁଁ ଅବହେଳିତ ହୋଇ ପଡ଼ି ରହିଛି । ଯାହାର ଭବିଷ୍ୟତକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି ।
ତେବେ ଦୁର୍ଲଭ ଔଷଧୀୟ ଗୁଳ୍ମ, ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ତଥା ବନ୍ୟଜନ୍ତୁଙ୍କ ପ୍ରାକୃତିକ ଆବାସ ଅଞ୍ଚଳର ସୁରକ୍ଷା ତଥା ବିକାଶ ପାଇଁ ଏହି ନନ୍ଦନବନର ପରିକଳ୍ପନା କରାଯାଇଥିଲା । ଗତ ପ୍ରାୟ ତିନି ବର୍ଷ ତଳେ ଏହି ନନ୍ଦନବନ ପ୍ରକଳ୍ପ ଓଡ଼ିଶାର ଅନ୍ୟତମ ବୃହତ୍ତମ ଇକୋ ପାର୍କ ସହିତ ପର୍ଯ୍ୟଟନର ଏକ ପ୍ରମୁଖ ହବ ହେବାର ଲକ୍ଷ୍ୟ ରଖାଯାଇଥିଲା । ଏଥିପାଇଁ ରାଜ୍ୟ ସରକାର ପ୍ରାଥମିକ ପର୍ଯ୍ୟାୟରେ ଡବ୍ଲୁଓଡିସି ମାଧ୍ୟମରେ ଆର୍ଥିକ ସହାୟତା ଯୋଗାଇ ଦେଇଥିଲେ । କିନ୍ତୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ପାଣ୍ଠିକୁ ଜିଲ୍ଲା ଡିଆରଡିଏ ପକ୍ଷରୁ ଏହି ନନ୍ଦନବନ ପ୍ରକଳ୍ପରେ ଏଭଳି କାର୍ଯ୍ୟ କଲେ ଯେ, ଉକ୍ତ ପ୍ରାକୃତିକ ଅଞ୍ଚଳ ବର୍ତ୍ତମାନ କଙ୍କ୍ରିଟ୍ ଜଙ୍ଗଲରେ ପରିଣତ ହୋଇଗଲା । ଯାହାକୁ ନେଇ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଗଭୀର ଅସନ୍ତୋଷ ପ୍ରକାଶ କରିଛି ।