ବୌଦ୍ଧ: ଦୁର୍ଦ୍ଦିନରେ ବିଦ୍ୟାଳୟରେ ରୋଷେଇ କରୁଥିବା ପାଚିକାଙ୍କ ପରିବାର । ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ସୁଷମ ଖାଦ୍ୟ ଯୋଗାଉଥିବା ପାଚିକାଙ୍କ ପରିବାରର ସଦସ୍ୟଙ୍କୁ ଦୁଇ ଓଳା ଭଲରେ ଖାଇବାକୁ ମିଳୁନାହିଁ । ତେଣୁ ବର୍ତ୍ତମାନ ସେମାନେ ଆନ୍ଦୋଳନ ପାଇଁ ସଜବାଜ ଆରମ୍ଭ କରି ଦେଇଛନ୍ତି । ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ସୁଷମ ଖାଦ୍ୟ ଯୋଗାଉଥିବା ପାଚିକାଙ୍କ ପରିବାର ବର୍ତ୍ତମାନ ଓପାସରେ । ସ୍ବଳ୍ପ ପାରିଶ୍ରମିକ ଯୋଗୁଁ ସେମାନଙ୍କ ଜୀବନ ଚର୍ଯ୍ୟା ଅତ୍ୟନ୍ତ କଷ୍ଟକର ହୋଇ ପଡିଛି । ଦରମା ବୃଦ୍ଧି ପାଇଁ ସରକାରଙ୍କ ନିକଟରେ ନିବେଦନ ପରେ ମଧ୍ୟ ଶୁଣୁ ନାହିଁନ୍ତି ସରକାର । ବାରମ୍ବାର ସରକାର ସେମାନଙ୍କୁ ପ୍ରତିଶ୍ରୁତି ଦେଇ ପ୍ରତାରଣା କରୁଥିବା ନେଇ ଅଭିଯୋଗ କରିବା ସହିତ ଆଗାମୀ ଦିନରେ ଆନ୍ଦୋଳନ ପାଇଁ ପାଚିକାମାନେ ସଜବାଜ ଆରମ୍ଭ କରିଛନ୍ତି ।
ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକ ଅନ୍ତର୍ଗତ ପନ୍ଦର ଶହରୁ ଉର୍ଦ୍ଧ୍ବ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ରୋଷେଇ କରି ଛାତ୍ରଛାତ୍ରୀଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଥାନ୍ତି ପାଚିକା । ତେବେ ଦୀର୍ଘ କୋଡିଏ ବର୍ଷରୁ ଉର୍ଦ୍ଧ୍ବ ହେଲା ଏହି ପାଚିକା ମାନେ ବିଦ୍ୟାଳୟରେ କାର୍ଯ୍ୟ କରୁଥିଲେ ମଧ୍ୟ ସେମାନଙ୍କୁ ବର୍ତ୍ତମାନ ମାତ୍ର 14 ଶହ ଟଙ୍କା ମାସିକ ବେତନ ପ୍ରଦାନ କରାଯାଉଛି । ଯାହାକି ବର୍ତ୍ତମାନ ସମୟରେ ଅତି ସ୍ବଳ୍ପ ବେତନ କୁହାଯାଇପାରେ । ସରକାର ଦୈନିକ ମଜୁରୀ ଧାର୍ଯ୍ୟ କରିଥିବା ବେଳେ ଏହି ପାଚିକା ମାନଙ୍କ ପାଇଁ କୌଣସି ଦର ନିର୍ଦ୍ଧାରିତ ନକରିବା ଅତ୍ୟନ୍ତ ଦୁଃଖ ଦାୟକ ।