ବୌଦ୍ଧ: କେନ୍ଦୁପତ୍ର ତୋଳି ଦିନକୁ ଯାହା ରୋଜଗାର ହୁଏ ସେଥିରେ ଏମାନଙ୍କ ଘରର ଚୁଲି ଜଳେ । ହେଲେ ମହାମାରୀ କୋରୋନା ସଂକ୍ରମଣ ରୋକିବାକୁ ଜାରି ରହିଥିବା ଲକଡାଉନ ଯୋଗୁଁ ଏବେ କେନ୍ଦୁପତ୍ର ତୋଳାଳୀଙ୍କ ରୋଷେଇ ଘରେ ପକାଇ ଦେଇଛି ତାଲା । ଫଳରେ ଦୁଇ ଓଳି ଖାଇବା ସଂଗ୍ରହ କରିବା ଏମାନଙ୍କ ପାଇଁ କଷ୍ଟକର ହୋଇପଡିଛି ।
ଜିଲ୍ଲାର ବିଭିନ୍ନ ସ୍ଥାନରେ ଜଙ୍ଗଲରୁ କେନ୍ଦୁପତ୍ର ତୋଳି ଜୀବିକା ନିର୍ବାହ କରୁଥିବା ଗରିବ ଲୋକ ଲକଡାଉନ ଯୋଗୁଁ ଅନେକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଜଙ୍ଗଲରୁ ଦିନ ତମାମ ପରିଶ୍ରମ କଲେ ପଚାଶରୁ ଶହେ ଟଙ୍କା ପର୍ଯ୍ୟନ୍ତ ମିଳିଥାଏ, କିନ୍ତୁ ଲକଡାଉନ ଯୋଗୁଁ ଏଭଳି ବୃତ୍ତିରେ ଥିବା ଲୋକଙ୍କ ପକ୍ଷେ ଦୁଇ ଓଳି ଖାଦ୍ୟ ସଂଗ୍ରହ ମଧ୍ୟ କଷ୍ଟକର ।