ଓଡିଶା

odisha

ETV Bharat / state

ବୌଦ୍ଧରେ କେନ୍ଦୁପତ୍ର ତୋଳାଳୀଙ୍କୁ ମିଳୁନି ଉଚିତ ପ୍ରାପ୍ୟ, ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଉଠିଲା ଦାବି - କେନ୍ଦୁପତ୍ର ତୋଳାଳୀ

କେନ୍ଦୁପତ୍ର ତୋଳାଳୀଙ୍କୁ ମିଳୁନାହିଁ ଉପଯୁକ୍ତ ପ୍ରାପ୍ୟ । ଡହ ଡହ ଖରାରେ କେନ୍ଦୁପତ୍ର ସଂଗ୍ରହ କରୁଥିବା ହିତାଧିକାରୀଙ୍କ ପାଇଁ ସରକାର ଅନେକ ଯୋଜନା କରିଥିବା ବେଳେ ଜିଲ୍ଲାର କେତେକ ଫଡିରେ ନିୟମ ଠାରୁ ଅଧିକ ପତ୍ର ସଂଗ୍ରହ କରାଯାଉଥିବା ଅଭିଯୋଗ ହୋଇଛି ।

kendu leaf pluckers facing many problems
kendu leaf pluckers facing many problems

By

Published : May 12, 2023, 3:57 PM IST

ବୌଦ୍ଧରେ କେନ୍ଦୁପତ୍ର ତୋଳାଳୀଙ୍କୁ ମିଳୁନି ଉଚିତ ପ୍ରାପ୍ୟ

ବୌଦ୍ଧ: ପଶ୍ଚିମ ଓଡିଶାର ଅନେକ ଜିଲ୍ଲାର ହଜାର ହଜାର ଗରିବ ପରିବାରର ଆୟର ପ୍ରମୁଖ ମାଧ୍ୟମ । କିନ୍ତୁ କେନ୍ଦୁପତ୍ର ତୋଳାଳୀଙ୍କୁ ନଜର ଆଢୁଆଳରେ ରଖିଛନ୍ତି ସରକାର । ଫଳରେ ଅନେକ ସମସ୍ୟା ଦେଇ ଗତି କରୁଛନ୍ତି ଜିଲ୍ଲାର କେନ୍ଦୁପତ୍ର ତୋଳାଳୀ । ଡହ ଡହ ଖରାରେ ସଂଗ୍ରହ ହେଉଥିବା କେନ୍ଦୁପତ୍ର ସଂଗ୍ରହକାରୀଙ୍କୁ ଉପଯୁକ୍ତ ପ୍ରାପ୍ୟ ମିଳୁନଥିବା ସେମାନେ ଅଭିଯୋଗ କରିଛନ୍ତି ।

କେନ୍ଦୁପତ୍ର କୁନେଇ ବୌଦ୍ଧ ଜିଲ୍ଲାର ରହିଛି ସ୍ବତନ୍ତ୍ର ପରିଚୟ । ଏହି କେନ୍ଦୁପତ୍ରରୁ ସରକାର କୋଟିକୋଟି ଟଙ୍କା ରାଜସ୍ୱ ପାଉଥିବା ବେଳେ ପତ୍ରଫଡି ଓ କେନ୍ଦୁପତ୍ର ତୋଳାଳୀଙ୍କ ପାଇଁ ସେଭଳି ଆଖି ଦୃଶିଆ ପଦକ୍ଷେପ ଗ୍ରହଣ କରାଯାଉ ନାହିଁ । ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକରେ ମୋଟ ଆଠଟି କେନ୍ଦୁପତ୍ର ରେଞ୍ଜ୍‌ ରହିଥିବା ବେଳେ ଅଧିକାଂଶ ଫଡିର ନିଜସ୍ୱ ସ୍ଥାୟୀ ଘର ନାହିଁ । ଅନେକ ଫଡିଘର ଚାଳଛପର ଘରେ ହିଁ ଚାଲୁଛି । ଫଳରେ ଅନେକ ସମୟରେ ଅଗ୍ନିକାଣ୍ଡର ସମ୍ଭାବନା ମଧ୍ୟ ରହୁଛି । ଏହାଛଡା ପ୍ରବଳ ଗ୍ରୀଷ୍ମପ୍ରବାହ ସମୟରେ ବିଭିନ୍ନ ଜଙ୍ଗଲରୁ କେନ୍ଦୁପତ୍ର ସଂଗ୍ରହ କରୁଥିବା ମହିଳା ମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।


ବୌଦ୍ଧ ଜିଲ୍ଲାର ପତ୍ର ଫଡିରେ ସରକାରୀ ନିୟମାନୁଯାୟୀ ବାଇଶ ଗୋଟି ପତ୍ରରେ ଗୋଟିଏ ବିଡା ପାଇଁ ନିୟମ ରହିଥିବା ବେଳେ ଅନେକ ସ୍ଥାନରେ ଚବିଶ ପତ୍ରରେ ବିଡା ପାଇଁ ବାଧ୍ୟ କରାଯାଉଛି । ପତ୍ର ତୋଳାଳୀ ମାନେ ମଧ୍ୟ ବାଧ୍ୟ ହୋଇ ଚବିଶ ପତ୍ରର ବିଡ଼ା ଦେବାକୁ ରାଜି ହେଉଥିବା ସୂଚନା ମିଳିଛି । ଏଭଳି କେନ୍ଦୁପତ୍ର ବିଡାରେ ପ୍ରସ୍ତୁତ ଗୋଟିଏ ଫର୍ମର ଦର 140 ଟଙ୍କା ଥିବା ବେଳେ ଦିନରେ ଜଣେ ଜଣେ ପତ୍ର ତୋଳାଳୀ ଦେଢରୁ ଦୁଇ ଫର୍ମ ପର୍ଯ୍ୟନ୍ତ ପତ୍ର ବିଡା ସଂଗ୍ରହ କରିପାରୁଛନ୍ତି । କିନ୍ତୁ ପରିଶ୍ରମ ଅନୁସାରେ ଦର ସ୍ବଳ୍ପ ହୋଇଥିବା ପତ୍ର ତୋଳାଳୀ ମାନେ ଅଭିଯୋଗ କରିଛନ୍ତି ।


ବୌଦ୍ଧ ଜିଲ୍ଲାର ଆଠଟି ରେଞ୍ଜ ମଧ୍ୟରେ ଜଣେବି ରେଞ୍ଜର ନଥିବା ବେଳେ ତିନି ଜଣ ଏସିଏଫ ପଦବୀ ମଧ୍ୟ ଖାଲି ପଡିଛି । ରେଞ୍ଜର ପଦବୀ ଖାଲି ଥିବାରୁ ଫରେଷ୍ଟରମାନେ ଇନଚାର୍ଯରେ ରହୁଥିବା ସୂଚନା ମିଳିଛି । ବିଶେଷ ଭାବରେ କେନ୍ଦୁପତ୍ର ତୋଳାଳୀଙ୍କ ସମସ୍ୟା ଓ ଫଡିଘର ପ୍ରତି ସରକାର ଆନ୍ତରିକତା ପ୍ରଦର୍ଶନ କରୁନଥିବା ଅଭିଯୋଗ ହୋଇଛି । ତେବେ କେନ୍ଦୁପତ୍ର ତୋଳାଳୀଙ୍କ ପାଇଁ ସରକାର ଅନେକ ବ୍ୟବସ୍ଥା କରିଥିଲେ ମଧ୍ୟ ସେମାନଙ୍କ ଆଖିଦୃଶିଆ ବିକାଶ ହୋଇ ପାରୁନାହିଁ ।


ସେପଟେ ଜିଲ୍ଲାର କେତେକ କେନ୍ଦୁପତ୍ର ଫଡିରେ ନାବାଳକମାନଙ୍କୁ କାର୍ଯ୍ୟରେ ନିୟୋଜିତ କରାଯାଉଥିବା ଦେଖାଯାଉଛି । ବୌଦ୍ଧ ଜିଲ୍ଲାର କଣ୍ଟାମାଳ ବ୍ଲକର ବିଭିନ୍ନ ଫଡିରେ ଏଭଳି ଶିଶୁ ଶ୍ରମିକଙ୍କୁ ନିୟୋଜିତ କରାଯାଉଥିବା ବେଳେ ବିଭାଗୀୟ ଅଧିକାରୀ ଏହାକୁ ଅସ୍ବୀକାର କରିଛନ୍ତି । ଗରିବ ପରିବାରର ପିତାମାତା ଫଡିରେ କାର୍ଯ୍ୟ କରୁଥିବା ସମୟରେ ସେମାନଙ୍କ ପରିବାରର ଶିଶୁମାନେ କାର୍ଯ୍ୟରେ କେତେବେଳେ ସହଯୋଗ କରୁଥାଇ ପାରନ୍ତି ବୋଲି ସଫେଇ ଦିଆଯାଇଛି । ସରକାର କେନ୍ଦୁପତ୍ରରୁ କୋଟିକୋଟି ଟଙ୍କାର ରାଜସ୍ୱ ପାଉଥିବା ବେଳେ ଏହାସହିତ ଜଡ଼ିତ ଶ୍ରମିକ ଓ ଫଡିଘରଗୁଡିକର ଉନ୍ନତି ପ୍ରତି ମଧ୍ୟ ସରକାର ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହୋଇଛି ।

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details