ବୌଦ୍ଧ: ବୌଦ୍ଧ ଜିଲ୍ଲା ବିଜେଡି ସଙ୍ଗଠନରେ ଅନ୍ତର୍ଦ୍ବନ୍ଦ । ଶାସକ ବିଜେଡି ବିଧାୟକଙ୍କୁ ନିଜ ଦଳରୁ ବିରୋଧ । ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ପଦାରେ ପଡିଲାଣି ଶାସକ ଦଳର ଦଳୀୟ କନ୍ଦଳ । ପରିବର୍ତ୍ତନ ସମାବେଶ ମାଧ୍ୟମରେ ସ୍ଥାନୀୟ କଣ୍ଟାମାଳ ବିଧାୟକଙ୍କୁ ଟାର୍ଗେଟ କରିଛନ୍ତି ବୌଦ୍ଧ ବ୍ଲକ ଅଧ୍ୟକ୍ଷ । ମାଟି ମୋରମ ବିଛାରେ ନିର୍ବାଚନ ମଣ୍ଡଳୀର ବିକାଶ ସୀମିତ ହେବାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି ଦଳୀୟ ନେତା । ଗତ ୨୦୦୯ ମସିହାରେ ବୌଦ୍ଧ ଜିଲ୍ଲାର କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ଏକ ସ୍ବତନ୍ତ୍ର ନିର୍ବାଚନ ମଣ୍ଡଳୀର ମାନ୍ୟତା ପାଇଲା ପରେ ଲଗାତାର ଭାବରେ ତିନି ଥର ଏଠାରୁ ଶାସକ ବିଜେଡ଼ି ଦଳର ପ୍ରାର୍ଥୀ ବିଜୟୀ ହୋଇ ଆସିଛନ୍ତି ।
ଦଳ ପକ୍ଷରୁ ବର୍ତ୍ତମାନର ବିଧାୟକ ମହୀଧର ରଣା ଲଗାତାର ୨ ଥର ବିଜୟ ଲାଭ କରିଛନ୍ତି । କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ବିଭିନ୍ନ ପ୍ରସଙ୍ଗକୁ ନେଇ ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ ପରିବର୍ତ୍ତନ ସମାବେଶର ଆୟୋଜନ ମାଧ୍ୟମରେ ବିଧାୟକ ମହୀଧର ରଣାଙ୍କୁ ଟାର୍ଗେଟ କରିଛନ୍ତି । ଶୁକ୍ରବାର ବୌଦ୍ଧ ଜିଲ୍ଲା ସିମିଳିପଦର ପଞ୍ଚାୟତର ଲୋକାପଡା ଠାରେ ହଜାର ହଜାର କର୍ମୀଙ୍କ ସମାବେଶ ମଧ୍ୟରେ ଶ୍ରୀ ରଥ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ବିଭିନ୍ନ ବିକାଶକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଥିଲେ । କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଶିକ୍ଷା, ସ୍ବାସ୍ଥ୍ୟ , ଗମନାଗମନ ଭଳି ମୌଳିକ ସୁବିଧାରୁ ଅଞ୍ଚଳବାସୀ ବଞ୍ଚିତ ହୋଇଛନ୍ତି । ବର୍ତ୍ତମାନର ଜନ ପ୍ରତିନିଧିଙ୍କ ଅପାରଗତା ତଥା ଦୁର୍ନୀତିପଣିଆ ଯୋଗୁଁ କଣ୍ଟାମାଳରେ ଆଖିଦୃଶିଆ ବିକାଶ ହୋଇପାରିନାହିଁ ।