ବୌଦ୍ଧ:ଆନନ୍ଦ ଉଲ୍ଲାସର ସହିତ ପାଳିତ ହେଉଛି ମା' ଶ୍ୟାମାକାଳୀଙ୍କ ପୂଜନ ଉତ୍ସବ । ଏନେଇ ଚଳଚଞ୍ଚଳ ବୌଦ୍ଧ ଜିଲ୍ଲା । ମହାମାରୀ କୋରୋନା କଟକଣା ଯୋଗୁଁ ଗତ ୨ବର୍ଷ ଧରି ପରଦା ଆଢୁଆଳରେ ପୂଜାର୍ଚ୍ଚନା କେବଳ ବିଧି ମୁତାବକ ଅନୁଷ୍ଠିତ ହେଉଥିଲା । ହେଲେ ଚଳିତବର୍ଷ କଟକଣା ପ୍ରତ୍ୟାହାର ପରେ ଧୁମଧାମରେ ପୂଜାତ୍ସବ ପାଳନ ପାଇଁ ସାରା ରାଜ୍ୟ ଚଳଚଞ୍ଚଳ ହୋଇପଡ଼ିଛି ।
ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକର ବିଭିନ୍ନ ପୂଜା ମଣ୍ଡପରେ କାର୍ତ୍ତିକ ଅମାବାସ୍ୟା ଠାରୁ ଆରମ୍ଭ ହୋଇଥିବା ମା' କାଳୀଙ୍କ ପୂଜା ସୂର୍ଯ୍ୟ ପରାଗ ଯୋଗୁଁ ମଙ୍ଗଳବାର ସାଧାରଣ ଦର୍ଶନ ବନ୍ଦ ଥିଲା । ବୁଧବାର ମାଆ କାଳୀଙ୍କ ରୀତିନୀତିରେ ପୂଜାର୍ଚ୍ଚନା ସହିତ ଭକ୍ତ ଶ୍ରଦ୍ଧାଳୁ ମାଆଙ୍କ ଦର୍ଶନ କରିଥିଲେ । ବୌଦ୍ଧ ଜିଲ୍ଲା ସଦର ମହକୁମାର ଶିବାନୀ ମାର୍କେଟ ଓ ଭୈରବୀ ମାର୍କେଟ ସହିତ ବାଉଁଶୁଣୀ, ପୁରୁଣାକଟକ, ମନମୁଣ୍ଡା, କଣ୍ଟାମାଳର ବିଭିନ୍ନ ପୂଜା ମଣ୍ଡପରେ ଆନନ୍ଦ ଉଲ୍ଲାସର ସହିତ କାଳୀପୂଜା ଓ ଦୀପାବଳି ଉତ୍ସବ ପାଳନ କରାଯାଇଛି । ସେପଟେ ବୁଧବାର ଜିଲ୍ଲାର ଗୋପାଳ ସଂପ୍ରଦାୟ ପକ୍ଷରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଗିରି ଗୋବର୍ଦ୍ଧନ ପୂଜନ ଉତ୍ସବ ନିଷ୍ଠା ଓ ଶ୍ରଦ୍ଧାର ସହିତ ପାଳନ କରାଯାଇଛି ।