ଓଡିଶା

odisha

ETV Bharat / state

ବୁଟୁପାଲିର ସ୍ବତନ୍ତ୍ର ଜୁହାର ଭେଟ ପରମ୍ପରା

ବୌଦ୍ଧ ଜିଲ୍ଲା ବୁଟୁପାଲିରେ ପାଳିତ ହୋଇଛି ନବାନ୍ନ ପର୍ବ । ଏହାସହ ସ୍ବତନ୍ତ୍ର ଭାବେ ପାଳିତ ହୋଇଛି ଜୁହାର ଭେଟ ପରମ୍ପରା ।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

By

Published : Sep 3, 2019, 11:31 PM IST

ବୌଦ୍ଧ: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇର ଏକ ସ୍ବତନ୍ତ୍ର ଅଧ୍ୟାୟ ହେଉଛି ଜୁହାର ଭେଟ ପରମ୍ପରା । ନୂଆ ଚାଉଳରୁ ପ୍ରସ୍ତୁତ ଭୋଗ ଦେବାଦେବୀଙ୍କ ନିକଟରେ ସମର୍ପଣ ପରେ ନିଜ ପରିବାର ସହ ଆନନ୍ଦରେ ନବାନ୍ନ ଭକ୍ଷଣ କରନ୍ତି ସଭିଏଁ । ଏହାପରେ ଆରମ୍ଭ ହୁଏ ଜୁହାର ଭେଟ କାର୍ଯ୍ୟକ୍ରମ । ଆଉ ଏହି ଧାରାରେ ବୌଦ୍ଧ ଜିଲ୍ଲାର ବୁଟୁପାଲିରେ ଅନୁଷ୍ଠିତ ଜୁହାର ଭେଟ ପରମ୍ପରା ଟିକେ ନିଆରା ।

ବୌଦ୍ଧ ଜିଲ୍ଲାରେ ଆନନ୍ଦ ଉଲ୍ଲାସର ସହିତ ପାଳିତ ହୋଇଛି ଗଣପର୍ବ ନୂଆଁଖାଇ । ମଙ୍ଗଳବାର ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ଧାର୍ଯ୍ୟ ଲଗ୍ନ ଅନୁସାରେ ଆରାଧ୍ୟ ଦେବୀ ଭୈରବୀଙ୍କ ନିକଟରେ ନବାନ୍ନ ଲାଗି ହୋଇଥିଲା । ପରେ ଅପରାହ୍ନରେ କଣ୍ଟାମାଳ, ବୌଦ୍ଧ ଓ ହରଭଙ୍ଗା ବ୍ଲକର ବିଭିନ୍ନ ସ୍ଥାନରେ ଥିବା ଦେବାଦେବୀ ପୀଠରେ ବିଧି ମୁତାବକ ନବାନ୍ନ ଲାଗି ହୋଇଥିଲା । ଆଉ ସଂଧ୍ୟାରେ ଆୟୋଜିତ ହୋଇଥିଲା ଜୁହାର ଭେଟ କାର୍ଯ୍ୟକ୍ରମ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ଏହି ଗ୍ରାମର ପିଲା ଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ନବାନ୍ନ ଭକ୍ଷଣ ପରେ ରାଜରାସ୍ତାକୁ ଓହ୍ଲାଇ ଆସି ଜୁହାର ଭେଟ କାର୍ଯ୍ୟକ୍ରମରେ ସାମିଲ ହୋଇଥାନ୍ତି । ରାସ୍ତା ଅବରୋଧ ଭଳି ଦୃଶ୍ୟମାନ ହେଉଥିବା ଏହି ଅନନ୍ୟ ପରମ୍ପରା ଅତ୍ୟନ୍ତ ଆକର୍ଷଣୀୟ ହୋଇଥାଏ । ରାଜ୍ୟ ତଥା ରାଜ୍ୟ ବାହାରେ ରହୁଥିବା ଲୋକେ ଏହି ଅବସରରେ ଗାଁକୁ ଆସି ନବାନ୍ନ ଗ୍ରହଣ ସହ ଜୁହାର ଭେଟରେ ସାମିଲ ହୋଇଥାନ୍ତି । ଏହି ଜୁହାର ଭେଟ ପରମ୍ପରା ବୁଟୁପାଲିକୁ ଦେଇଛି ଏକ ସ୍ବତନ୍ତ୍ର ପରିଚୟ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details