ବୌଦ୍ଧ: କୃଷି ଭିତ୍ତିକ ଜିଲ୍ଲାର ବିଭିନ୍ନ ନଦୀ ନାଳରେ ନିର୍ମାଣ ହେବ ଆଉ ତିନୋଟି ଜଳସେଚନ ପ୍ରକଳ୍ପ । ଏନେଇ ରାଜ୍ୟସରକାର ଡିପିଆର ପ୍ରସ୍ତୁତ କରିସାରିଛନ୍ତି । କେନ୍ଦ୍ରର ଅନୁମୋଦନ ପରେ ଏହାର କାର୍ଯ୍ୟ ଆରମ୍ଭ ହେବ ବୋଲି ସୂଚନା ମିଳିଛି । କୃଷି ଭିତ୍ତିକ ଜିଲ୍ଲାରେ ନୂତନ ଜଳସେଚନ ପ୍ରକଳ୍ପ ନିର୍ମାଣକୁ ନେଇ ଦୀର୍ଘ ବର୍ଷର ଦାବି ପୂରଣ ହେବାକୁ ଯାଉଛି । ନଦୀନାଳରେ ଭରପୁର ବୌଦ୍ଧ ଜିଲ୍ଲାରେ ମହାନଦୀଠାରୁ ନେଇ ଖଡଙ୍ଗ, ତେଲ, ବାଘ, ସାଲୁଙ୍କୀ ଭଳି ଅନେକ ନଦୀ ପ୍ରବାହିତ ହେଉଛି । କୃଷି ଉପରେ ଜିଲ୍ଲାର ଅଧିକାଂଶ ଅଧିବାସୀ ନିର୍ଭରଶୀଳ ଥିବା ବେଳେ ଜିଲ୍ଲାରେ ସାଲୁଙ୍କୀ ଓ ବାଘନଦୀ ଜଳସେଚନ ପ୍ରକଳ୍ପ ଚାଷ ପାଇଁ ଉପଯୋଗୀ ହୋଇ ରହିଆସିଛି ।
ଜଳସେଚନ ବିଭାଗ ସହିତ କ୍ଷୁଦ୍ର ଜଳସେଚନ ଓ ଉଠାଜଳସେଚନ ବିଭାଗର ଅନେକ ପ୍ରକଳ୍ପରୁ ମଧ୍ୟ ଅନେକ ଚାଷୀ ଚାଷକରି ଉପକୃତ ହେଉଛନ୍ତି । ତଥାପି ମଧ୍ୟ ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକର ଅନେକ ପଞ୍ଚାୟତରେ ଜଳସେଚନର ଘୋର ସମସ୍ୟା ଲାଗି ରହୁଛି । ତେଣୁ ନୂତନ ସେଚ ପ୍ରକଳ୍ପ ନିର୍ମାଣ ପାଇଁ ଦୀର୍ଘ ବର୍ଷ ହେଲା ଦାବି ହୋଇ ଆସୁଛି । ଏ ସମ୍ପର୍କରେ ରାଜ୍ୟସରକାର ଏକ ଡିପିଆର ପ୍ରସ୍ତୁତ କରି କେନ୍ଦ୍ରକୁ ପଠାଇଥିଲେ । କିନ୍ତୁ ମହାନଦୀ ଜଳ ବିବାଦ ଯୋଗୁଁ ଏହା ପୂର୍ବରୁ ଅଟକି ଥିଲା ।
ବର୍ତ୍ତମାନ କିଛିଦିନ ପୂର୍ବରୁ କେନ୍ଦ୍ରରୁ ଏକ ଉଚ୍ଚ ବିଶେଷଜ୍ଞ ଦଳ କ୍ଷେତ୍ର ପରିଦର୍ଶନ କରି ଫେରିବା ପରେ ଏହାର ନିର୍ମାଣ ପାଇଁ ଆଶା ସଞ୍ଚାର ହୋଇଛି । ଜିଲ୍ଲାର ହରଭଙ୍ଗା ବ୍ଲକର ଲକ୍ଷ୍ମୀ ପଥର, ବୌଦ୍ଧ ବ୍ଲକର ସତୀଘାଟ ଓ କଣ୍ଟାମାଳ ବ୍ଲକର ଖଡଙ୍ଗ ନଦୀରେ ଏଭଳି ତିନୋଟି ସ୍ଥାନରେ ଏହି ନଦୀବନ୍ଧ ଯୋଜନା ପାଇଁ ପ୍ରସ୍ତୁତି ଚୂଡାନ୍ତ ହୋଇଥିବା ସୂଚନା ମିଳିଛି । ବର୍ତ୍ତମାନ ଜିଲ୍ଲାର ଜଳସେଚନ ବିଭାଗର ପାଣି ପଞ୍ଚାୟତ ପକ୍ଷ ପାଳନ ଅବସରରେ ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଏସବୁ ପ୍ରକଳ୍ପର ସମ୍ଭାବନା ଉପରେ ମତ ପ୍ରକାଶ କରିଥିଲେ ।
ଏ ସମ୍ପର୍କରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ କହିଛନ୍ତି "ହରଭଙ୍ଗା ବ୍ଲକର ଲକ୍ଷ୍ମୀପଥଟ, ବୌଦ୍ଧ ବ୍ଲକର ସତୀଘାଟ ଓ କଣ୍ଟାମାଳ ବ୍ଲକର ଖଡ଼ଙ୍ଗ ଏହି ୩ଟି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ବାକିଥିବା ଅଣଜଳସେଚିତ ଜମିଗୁଡ଼ିକ ଜଳସେଚିତ ହେବାସହ ବିଦ୍ୟୁତ ଉତ୍ପାଦନର କ୍ଷମତା ମଧ୍ୟ ବହନ କରିବ । ଏନେଇ ରାଜ୍ୟ ସରକାର ଡିଟେଲ ପ୍ରୋଜେକ୍ଟ ରିପୋର୍ଟ ଡିପିଆର ପ୍ରସ୍ତୁତ କରିଥିଲେ । ଡେଭଲପମେଣ୍ଟ କମିଶନର ପ୍ରଦୀପ କୁମାର ଜେନା ବୌଦ୍ଧ ଆସି ଏଠିକାର ବିଭିନ୍ନ ପ୍ରଜେକ୍ଟ ଦେଖି ଯାଇଛନ୍ତି । ଏହାର ଡିପିଆର କେନ୍ଦ୍ର ସରକାରଙ୍କ ପାଖକୁ ଯାଇଥିଲା । କିନ୍ତୁ ମହାନଦୀ ଜଳ ବିବାଦ ରହିଥିବାରୁ କେନ୍ଦ୍ର ସରକାର ତାହାକୁ ଫେରସ୍ତ କରିଥିଲେ । ତେଣୁ ଏହି ପ୍ରୋଜେକ୍ଟ ଫେରସ୍ତ କରାଗଲା । ଜଳ ବିବାଦ ସରିଲା ପରେ ତାହାକୁ ବିଚାରକୁ ନିଆଯିବ । ନିକଟରେ ସିଡବ୍ଲୁ୍ସିର କିଛି ଅଧିକାରୀ ପରିଦର୍ଶନ କରି ଯାଇଛନ୍ତି । ତେଣୁ ପ୍ରୋଜେକ୍ଟ ଯେଉଁ ତଳମୁଣ୍ଡରେ ସ୍ଥାନ ନିରୁପଣ ହୋଇଛି ତାହାକୁ ନିଶ୍ଚିନ୍ତ ଗ୍ରହଣ କରିବେ ।"
ଇଟିଭି ଭାରତ, ବୌଦ୍ଧ