ବୌଦ୍ଧ: ବିଦ୍ୟାଳୟରୁ ମଧ୍ୟାହ୍ନ ଭୋଜନ ଚାଉଳ ଚୋରି । ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅଧିନରେ ଥିବା ପ୍ରାଥମିକ ବିଦ୍ୟାଳୟରୁ ଚାଉଳ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି । ବିଦ୍ୟାଳୟର ଗୋଦାମ ଘର ତାଲା ଭାଙ୍ଗି ଦୁର୍ବୃତ୍ତମାନେ ମଧ୍ୟାହ୍ନ ଭୋଜନର ଚାଉଳ ଚୋରି କରିଛନ୍ତି ।
ତେବେ ମଙ୍ଗଳବାର ରାତିରେ ବୌଦ୍ଧ ଜିଲ୍ଲା ରାଧାନଗର ପଞ୍ଚାୟତ ସଦର ଠାରେ ଥିବା ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନର ଚାଉଳ ଚୋରି ହୋଇଥିବା ସୂଚନା ମିଳିଛି । ବିଳମ୍ବିତ ରାତିରେ ରାଧାନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପାଚେରୀ ଡେଇଁ କେତେକ ଦୁର୍ବୃତ୍ତ ଗୋଦାମ ଘର ତାଲା ଭାଙ୍ଗିଥିଲେ । ଆଉ ସେଠାରେ ଥିବା ୪୮ ପ୍ୟାକେଟ୍ ଚାଉଳ ମଧ୍ୟରୁ ୧୮ ପ୍ୟାକେଟ୍ ଚାଉଳ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି । ଏ ସମ୍ପର୍କରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ପରିଚାଳନା କମିଟି ପକ୍ଷରୁ ବୌଦ୍ଧ ଆଦର୍ଶ ଥାନାରେ ଅଭିଯୋଗ କରିଛନ୍ତି । ଏନେଇ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।
ସେପଟେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ବ୍ୟାପକ ଅନିୟମିତତା ହେଉଥିବା ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଛି । ଏନେଇ ଏକ ବଡ଼ ଧରଣର ରାକେଟ୍ କାମ କରୁଥିବା ବେଳେ ଏଥିରେ ବିଦ୍ୟାଳୟଠାରୁ ଆରମ୍ଭ କରି ଚାଉଳ ଯୋଗାଉଥିବା ସଂସ୍ଥା ଓ ଯୋଗାଣ ବିଭାଗର କର୍ମଚାରୀମାନେ ସାମିଲ ଥିବା ଅଭିଯୋଗ ହୋଇ ଆସୁଛି । ବୌଦ୍ଧ ଜିଲ୍ଲାର ୩ଟି ବ୍ଲକର ବିଭିନ୍ନ ସ୍ଥାନରେ ଥିବା ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ବ୍ୟାପକ ସମସ୍ୟା ତଥା ତୃଟି ରହୁଥିବା ଜିଲ୍ଲା ପ୍ରଶାସନର ସ୍ବତନ୍ତ୍ର ଅଧିକାରଙ୍କ ଚଢାଉ ସମୟରେ ଧରା ପଡୁଛି । ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ପାଇଁ ଆସୁଥିବା ଚାଉଳ 50 କିଲୋ ବଦଳରେ ୪୨ରୁ ୪୫ କିଲୋଗ୍ରାମ ଓଜନ ରହୁଛି ।