ଓଡିଶା

odisha

ETV Bharat / state

ପଞ୍ଚାୟତରେ ଦୁର୍ନୀତି, ଧାରଣାରେ ନାଏବ ସରପଞ୍ଚ - ମଥୁରା ପଞ୍ଚାୟତରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ହରଭଙ୍ଗା ବ୍ଲକ ମଥୁରା ପଞ୍ଚାୟତରେ ବ୍ୟାପକ ଦୁର୍ନୀତି ଅଭିଯୋଗ । ଚାରିଦିନ ହେବ ଧାରଣାରେ ବସିଛନ୍ତି ନାଏବ ସରପଞ୍ଚ । ଏହି ଘଟଣାରେ ଫସିଯିବା ଭୟରେ ସମାଧାନ ପାଇଁ ଆସିଥିବା ପଞ୍ଚାୟତର ସରପଞ୍ଚ ଲୁଚି ପଳାଇଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି,  ବୌଦ୍ଧ

By

Published : Sep 28, 2019, 5:20 PM IST

ବୌଦ୍ଧ: ପଞ୍ଚାୟତ ରେ ବ୍ୟାପକ ଦୁର୍ନୀତି ଅଭିଯୋଗ କରି ଦୀର୍ଘ ଚାରି ଦିନ ହେଲା ଧାରଣାରେ ନାଏବ ସରପଞ୍ଚ । ଏଭଳି ସ୍ଥିତିରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ବିବାଦର ସମାଧାନ କରିବାକୁ ଆସି ନିଜେ ଫସିଯିବା ଭୟରେ ସେଠାରୁ ସରପଞ୍ଚଙ୍କ ସହ ଚମ୍ପଟ ମାରିବା ଘଟଣା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି ।

ଧାରଣାରେ ନାଏବ ସରପଞ୍ଚ


ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ମଥୁରା ପଞ୍ଚାୟତରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ କରି ଗତ ସପ୍ତାହରେ ପଞ୍ଚାୟତ କାର୍ଯ୍ୟାଳୟରେ ନାଏବ ସରପଞ୍ଚ ଓ କେତେକ ଓ୍ବାର୍ଡମେମ୍ବର ତାଲା ପକାଇଥିଲେ । କିନ୍ତୁ ଗତ ଚାରିଦିନ ତଳେ ବୁଧବାର ଦିନ ସକାଳୁ ହଠାତ ସରପଞ୍ଚ ଓ ନିର୍ବାହୀ ଅଧିକାରୀ କିଛି ମେମ୍ବରଙ୍କୁ ସାଥିରେ ନେଇ ତାଲା ଖୋଲି ପ୍ରତ୍ୟେକ ମାସରେ ବୈଠକ ହେଉଥିବା ଦର୍ଶାଇ ଥିଲେ । କୌଣସି ସୂତ୍ରରୁ ଖବର ପାଇ ଅନ୍ୟ ଓ୍ବାର୍ଡମେମ୍ବର ମାନେ ପଞ୍ଚାୟତରେ ପହଞ୍ଚି ଏହି ଉଦ୍ୟମକୁ ଭଣ୍ଡୁର କରିଦେଇଥିଲେ ।

ସରପଞ୍ଚ ଖସି ପଳାଇଥିବା ବେଳେ ନିର୍ବାହୀ ଅଧିକାରୀ ଅସନ୍ତୋଷ ଗୋଷ୍ଠୀକୁ ବୁଝାଇବାକୁ ଯାଇ ନିଜେ ଫସିଯିବା ଭୟରେ ସେଠାରେ ଜରୁରୀ ଦସ୍ତାବିଜ ଛାଡି ଚମ୍ପଟ ମାରିଥିଲେ । କିନ୍ତୁ ପଞ୍ଚାୟତରେ ହୋଇଥିବା ଦୁର୍ନୀତିର ତଦନ୍ତ ଦାବିରେ ଅଟଳ ଥିବା ନାଏବ ସରପଞ୍ଚ ଗତ ଚାରି ଦିନ ହେଲା ସେଠାରେ ଧାରଣାରେ ବସିଛନ୍ତି । ଘଟଣା ସମ୍ପର୍କରେ ସେ ବିଡ଼ିଓ, ଡିପିଓ ଓ ଜିଲ୍ଲାପାଳ ଙ୍କୁ ଅଭିଯୋଗ ଜଣାଇଥିବା କହିଛନ୍ତି । ଏହାର ସମାଧାନ ତଥା ନ୍ୟାୟ ନମିଳିଲେ ଆଗାମୀ ଗାନ୍ଧୀ ଜୟନ୍ତୀରୁ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବେ ବୋଲି ନାଏବ ସରପଞ୍ଚ ସୂଚନା ଦେଇଛନ୍ତି ।


ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details