ବୌଦ୍ଧ: ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ବାଟ ମାରଣା ହୋଇଛି ସରକାରୀ ଯୋଜନା । ମନରେଗା ଯୋଜନାରେ ଦୁର୍ନୀତି ଯୋଗୁଁ ଶ୍ରମିକ ବଦଳରେ ଏଠାରେ ମେସିନ କରୁଛି କାମ । ଯାହା ଦ୍ବାରା ଗରିବ ଶ୍ରମଜୀବୀମାନେ ଗଭୀର ଭାବରେ ପ୍ରଭାବିତ ହେବା ସହିତ କାମଧନ୍ଦା ଅଭାବରୁ ବାଧ୍ୟ ହୋଇ ଅନ୍ୟ ରାଜ୍ୟରେ ଦାଦନ ଖଟିବାକୁ ଯାଉଥିବା ଅଭିଯୋଗ ହୋଇଛି ।
ମନରେଗା ଯୋଜନା ଅନୁଯାୟୀ ଶ୍ରମଜୀବୀମାନେ ବର୍ଷକୁ 100 ଦିନ କାମ କରିବାର ବ୍ୟବସ୍ଥା ରହିଛି । କିନ୍ତୁ ବୌଦ୍ଧ ଜିଲ୍ଲାର 69 ପଞ୍ଚାୟତ ମଧ୍ୟରୁ ଅଧିକାଂଶ ପଞ୍ଚାୟତରେ ସରକାରଙ୍କ ଏହି ମହତ୍ତ୍ୱପୂର୍ଣ୍ଣ ଯୋଜନାରେ ଅନିୟମିତତା ହେଉଥିବା ଅଭିଯୋଗ ହେଉଛି । ରାସ୍ତା ଘାଟ, ପୋଖରୀ ଖନନରେ ଜେସିବି ଓ ଟ୍ରାକ୍ଟର ବ୍ୟବହାର ଏକ ସାଧାରଣ କଥା ହୋଇଥିବା ବେଳେ ଏହାର ପୃଷ୍ଠପୋଷକ ସାଜିଛନ୍ତି ବ୍ଲକର ସରକାରୀ ବାବୁ ଓ ପଞ୍ଚାୟତର ଜନପ୍ରତିନିଧି ।
ବୌଦ୍ଧ ଜିଲ୍ଲାର ବିଭିନ୍ନ ପଞ୍ଚାୟତର ଉପାନ୍ତ ତଥା ଦୁର୍ଗମ ଅଞ୍ଚଳରେ ମନରେଗା ଯୋଜନାରେ ବ୍ୟାପକ ଅନିୟମିତତା ହେଉଥିବା ନେଇ ବାରମ୍ବାର ଅଭିଯୋଗ ହୋଇଆସୁଛି । ଜିଲ୍ଲାର ହରଭଙ୍ଗା ବ୍ଲକ ଓ କଣ୍ଟାମାଳ ବ୍ଲକର ଅନେକ ପଞ୍ଚାୟତରେ ମନରେଗା ଯୋଜନା ବାଟ ହୁଡିଥିବା ବାରମ୍ବାର ଅଭିଯୋଗ ହୋଇଆସୁଛି । ବିଶେଷ ଭାବରେ ତଳଗାଁ, ମହାଲିକପଡା, ଲୁଣିବାହାଲ, ବଢିଗାଁ, ଖଲିଆପାଲି, ବହିରା, ରେଙ୍ଗାଳୀ, ଯୋଗୀନ୍ଦ୍ରପୁର, ପଲସାଗୋରା ଭଳି ପଞ୍ଚାୟତରେ ମନରେଗାରେ ବ୍ୟାପକ ଅନିୟମିତତା ହୋଇଛି ।