ବୌଦ୍ଧ:ପ୍ରାଣୀଧନ ବିଭାଗରେ ବ୍ୟାପକ ବିଶୃଙ୍ଖଳା । ଗୋଟିଏ ପଟରେ ଜିଲ୍ଲାର ବିଭିନ୍ନ ପ୍ରାଣୀ ଚିକିତ୍ସା କେନ୍ଦ୍ର ଅଚଳ ହୋଇପଡି ଥିବାବେଳେ ଅନ୍ୟପଟରେ କର୍ତ୍ତୃପକ୍ଷଙ୍କ ଉଦାସୀନତା ଯୋଗୁଁ ବିଭାଗ ବର୍ତ୍ତମାନ ମଦ୍ୟପଙ୍କ ଆଡ୍ଡା ସ୍ଥଳୀ ପାଲଟିଥିବା ଅଭିଯୋଗ ହୋଇଛି । ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକରେ ଥିବା 36ଟି ପ୍ରାଣୀ ଚିକିତ୍ସା କେନ୍ଦ୍ରର ଅଧାରୁ ଅଧିକ କେନ୍ଦ୍ରରେ ଦୀର୍ଘ ବର୍ଷ ହେଲା ତାଲା ଝୁଲୁଛି । ଫଳରେ ଗୋପାଳକ ଓ ଅନ୍ୟ ପଶୁ ପାଳକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ଦୀର୍ଘଦିନ ଧରି ବନ୍ଦ ରହୁଥିବାରୁ ପ୍ରାଣୀ ଚିକିତ୍ସା କେନ୍ଦ୍ରଗୁଡିକ ଏବେ ଅସାମାଜିକ ଲୋକଙ୍କ ଆଡ୍ଡା ସ୍ଥଳୀ ପାଲଟିଥିବା ଅଭିଯୋଗ ହୋଇଛି । ଜହ୍ନାପଙ୍ଗ ସ୍ଥିତ ପ୍ରାଣୀଧନ କେନ୍ଦ୍ରରେ ବାରମ୍ବାର ଏଭଳି ଅଚଳାବସ୍ଥା ଦେଖାଦେବାରୁ ଉତ୍ୟକ୍ତ ଗୋପାଳକମାନେ ଗତ ସପ୍ତାହେ ପୂର୍ବରୁ ତାଲା ପକାଇ ଏହାର ପ୍ରତିବାଦ କରିଥିଲେ । କିନ୍ତୁ ଜିଲ୍ଲା ପ୍ରାଣୀଧନ ବିଭାଗ ଏହାର ସମାଧାନ ନକରି ଓଲଟା ହାତ ଟେକି ଦେଇଛି । ବିଭାଗୀୟ ଅପାରଗତା ଯୋଗୁଁ ବର୍ତ୍ତମାନ ଜିଲ୍ଲାର ପ୍ରାଣୀ ପାଳକମାନେ ଆନ୍ଦୋଳନ ପାଇଁ ସଜବାଜ ଆରମ୍ଭ କଲେଣି ।