ଓଡିଶା

odisha

ETV Bharat / state

ମୌଳିକ ସମସ୍ୟାର ସମାଧାନ ପାଇଁ ଆଦିମ ଅଧିବାସୀ ଏକତା ମଞ୍ଚର ବିକ୍ଷୋଭ

ଜିଲ୍ଲାର ଶତାଧିକ ଗ୍ରାମକୁ ସବୁଦିନିଆ ରାସ୍ତା ଅଭାବ ସହିତ ପାନୀୟଜଳ ଓ ଅଙ୍ଗନବାଡି ସମସ୍ୟା । ଏନେଇ ଏସବୁ ସମସ୍ୟାର ସମାଧାନ ପାଇଁ ଜିଲ୍ଲା ଆଦିମ ଅଧିବାସୀ ଏକତା ମଞ୍ଚ ପକ୍ଷରୁ ସମସ୍ତ ବ୍ଲକରେ ବିକ୍ଷୋଭ ପ୍ରଦର୍ଶନ ସହ ଦାବିପତ୍ର ପ୍ରଦାନ । ଅଧିକ ପଢନ୍ତୁ

By

Published : Mar 24, 2023, 2:05 PM IST

solve basic facility problem
solve basic facility problem

solve basic facility problem

ବୌଦ୍ଧ: ବିକାଶ ନାଁରେ ସରକାରଙ୍କ ଅନେକ ଯୋଜନା । କିନ୍ତୁ ସ୍ବାଧୀନତାର 75ବର୍ଷ ପରେ ମଧ୍ୟ ସରକାରଙ୍କ ଯୋଜନା ପହଞ୍ଚି ପାରିନି ଦୁର୍ଗମ ଅଞ୍ଚଳରେ । ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ମୌଳିକ ସୁବିଧାରୁ ବଞ୍ଚିତ ହଜାର ହଜାର ଅଧିବାସୀ । ଜିଲ୍ଲାର ଶତାଧିକ ଗ୍ରାମକୁ ସବୁଦିନିଆ ରାସ୍ତା ଅଭାବ ସହିତ ପାନୀୟଜଳ ଓ ଅଙ୍ଗନବାଡି ସମସ୍ୟା ରହି ଆସିଛି । ଏଣୁ ଏସବୁ ସମସ୍ୟାର ସମାଧାନ ପାଇଁ ଜିଲ୍ଲା ଆଦିମ ଅଧିବାସୀ ଏକତା ମଞ୍ଚ ପକ୍ଷରୁ ସମସ୍ତ ବ୍ଲକରେ ବିକ୍ଷୋଭ ପ୍ରଦର୍ଶନ ସହ ଦାବିପତ୍ର ପ୍ରଦାନ କରାଯାଇଛି ।

ବିଶେଷ ଭାବରେ ବିଭିନ୍ନ ଉପାନ୍ତ ଅଞ୍ଚଳକୁ ସବୁଦିନିଆ ରାସ୍ତା ଅଭାବରୁ ସେସବୁ ଅଞ୍ଚଳରେ ସ୍ବାସ୍ଥ୍ୟ ସେବା ଓ ଆମ୍ବୁଲାନ୍ସ ସେବା ଠିକରେ ପହଞ୍ଚି ପାରୁନାହିଁ । ଏହାଛଡା ପାନୀୟଜଳ, ଆବାସ, ରାସନ, ଅଙ୍ଗନବାଡି ଭଳି ଅନେକ ଯୋଜନାର ସଫଳ ରୂପାୟନ ଠିକରେ ହୋଇପାରୁ ନ ଥିବାରୁ ଏହି ସମସ୍ୟା ର ସମାଧାନ ପାଇଁ ଜିଲ୍ଲାର ସମସ୍ତ ବ୍ଲକରେ ଜିଲ୍ଲା ଆଦିମ ଅଧିବାସୀ ଏକତା ମଞ୍ଚ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି ।

ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକର ଦଶରୁ ଊର୍ଦ୍ଧ୍ବ ପଞ୍ଚାୟତର ଏଭଳି ଶତାଧିକ ଉପାନ୍ତ ତଥା ଦୁର୍ଗମ ଗ୍ରାମ ରହିଛି । ଯେଉଁଠାରେ ବସବାସ କରୁଥିବା ଅଧିବାସୀଙ୍କ ନିକଟରେ ସରକାରଙ୍କ କଲ୍ୟାଣକାରୀ ଯୋଜନା ଅପହଞ୍ଚ ହୋଇରହିଛି । ବିଶେଷ କରି ସବୁଦିନିଆ ରାସ୍ତା ଅଭାବ କାରଣରୁ ଜିଲ୍ଲାର ଆଢେଣୀଗଡ, ତଳଗାଁ, କୁଶଙ୍ଗ ,ଛତରଙ୍ଗ, ଟିକରପଡା, ଆମ୍ବଝରୀ, ଗୁନ୍ଦୁଳିଆ, ଶଗଡା, ବରଗାଁ, ନାରାୟଣ ପ୍ରସାଦ, ଲମ୍ବସରୀ ଭଳି ପଞ୍ଚାୟତର ଅନେକ ଗ୍ରାମରେ ସ୍ବାସ୍ଥ୍ୟସେବା ଓ ଆମ୍ବୁଲାନ୍ସ ସେବା ଠିକରେ ମିଳିପାରୁନାହିଁ । ତେଣୁ ସେସବୁ ଅଞ୍ଚଳର ଅଧିବାସୀ ଝଡାଫୁଙ୍କା, ଗୁଣିଗାରେଡି ତଥା କ୍ବାକ ମାନଙ୍କ ଉପରେ ନିର୍ଭରଶୀଳ ।

ଏହାଛଡା ମହାନଦୀ ସମେତ ବିଭିନ୍ନ ନଦୀ ନାଳରେ ଭରପୁର ବୌଦ୍ଧ ଜିଲ୍ଲାର ବିଭିନ୍ନ ଉପାନ୍ତ ଅଞ୍ଚଳରେ ପାନୀୟଜଳର ଉତ୍କଟ ସମସ୍ୟା ବର୍ଷ ତମାମ ଲାଗି ରହୁଛି । ପାହାଡି ଝରଣାର ଦୂଷିତ ପାଣି ନଚେତ ଚୂଆ ଖୋଳି ଏସବୁ ଦୁର୍ଗମ ଅଞ୍ଚଳର ଅଧିବାସୀ ପାନୀୟଜଳ ସଂଗ୍ରହ କରିଥାନ୍ତି । ସେହିପରି ଅଙ୍ଗନବାଡି, ସୁଷମ ଖାଦ୍ୟ ଅଭାବ ଭଳି ସମସ୍ୟା ବର୍ଷ ବର୍ଷ ଧରି ଲାଗି ରହୁଛି । ଏସବୁ ସମସ୍ୟାର ସମାଧାନ ପାଇଁ ଜିଲ୍ଲା ଆଦିମ ଅଧିବାସୀ ଏକତା ମଞ୍ଚ ପକ୍ଷରୁ ଦାବି କରାଯାଇଛି । ଏନେଇ ମଞ୍ଚ ପକ୍ଷରୁ ଜିଲ୍ଲାର ହରଭଙ୍ଗା, ବୌଦ୍ଧ ଓ କଣ୍ଟାମାଳ ବ୍ଲକରେ ବିକ୍ଷୋଭ ପ୍ରଦର୍ଶନ ସହିତ ଏକ ଦାବିପତ୍ର ତିନି ବିଡିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି ।

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details