ଓଡିଶା

odisha

By

Published : Mar 17, 2023, 9:21 AM IST

Updated : Mar 17, 2023, 9:48 AM IST

ETV Bharat / state

ETV Bharat Impact: ଅଭୟାରଣ୍ୟବାସୀଙ୍କ ଦୁଃଖ ଶୁଣିଲେ ଜିଲ୍ଲାପାଳ, ଏଥର ବଦଳିବ ଚିତ୍ର

ଦୁର୍ଗମ ଅଞ୍ଚଳ ଭାବରେ ପରିଚିତ ସାତକୋଶିଆ ଅଭୟାରଣ୍ୟର କୋର ଅଞ୍ଚଳ ମଧ୍ୟରେ ଥିବା ଅପହଞ୍ଚ ଇଲାକାରେ ପହଞ୍ଚିଲା ଜିଲ୍ଲା ପ୍ରଶାସନ । ମୌଳିକ ସୁବିଧାରୁ ବଞ୍ଚିତ ଏହି ଦୁର୍ଗମ ଅଞ୍ଚଳର ଅଧିବାସୀଙ୍କ ଦୁଃଖ ଶୁଣିଲେ ଜିଲ୍ଲାପାଳ ଓ ସହାୟତା ପାଇଁ ଆରମ୍ଭ ହେଲା ପ୍ରୟାସ । ଅଧିକ ପଢନ୍ତୁ

impact of etv bharat
impact of etv bharat

ETV Bharat Impact

ବୌଦ୍ଧ:ଗଣମାଧ୍ୟମରେ ବାଜିଲା ଖବର । ସହାୟତାର ହାତ ବଢାଇଲା ଜିଲ୍ଲା ପ୍ରଶାସନ । ଦୁର୍ଗମ ଅଞ୍ଚଳ ଭାବରେ ପରିଚିତ ସାତକୋଶିଆ ଅଭୟାରଣ୍ୟର କୋର ଅଞ୍ଚଳରେ ଥିବା ଆଦିବାସୀ ଅଧ୍ୟୁଷିତ ଗ୍ରାମ । ଯେଉଁଠି ସରକାରଙ୍କ କଲ୍ୟାଣକାରୀ ଯୋଜନା ଠାରୁ ନେଇ ମୌଳିକ ସୁବିଧା ପର୍ଯ୍ୟନ୍ତ ଅପହଞ୍ଚ । ଏନେଇ ଆମେ ଖବର ପ୍ରସାରଣ କରିଥିଲୁ । ଏହା ପରେ ଜିଲ୍ଲା ପ୍ରଶାସନ ଦୁର୍ଗମ ଅଞ୍ଚଳବାସୀଙ୍କୁ ମୌଳିକ ସୁବିଧା ପ୍ରଦାନ କରିବାକୁ ପ୍ରତିଶୃତି ଦେଇଛନ୍ତି ।

ବର୍ଷ ବର୍ଷ ଧରି ବଣ ଜଙ୍ଗଲ ମଧ୍ୟରେ ପୁରୁଷାନୁକ୍ରମେ ବସବାସ କରୁଥିବା ଆଦିବାସୀ ସ୍ବାଧୀନତା ପରବର୍ତ୍ତୀ ସମୟରେ ଘୋଷଣା ହୋଇଥିବା ଅଭୟାରଣ୍ୟ ଭିତରେ ବିଛିନ୍ନାଞ୍ଚଳର ଅଧିବାସୀ ହୋଇ ରହିଥିଲେ । ସରକାରଙ୍କ ସବୁ କଲ୍ୟାଣକାରୀ ଯୋଜନା ଅପହଞ୍ଚ ଦୂରରେ । ବୌଦ୍ଧ ଜିଲ୍ଲା କୁଶଙ୍ଗ ପଞ୍ଚାୟତର ସୀମାନ୍ତରେ ମହାନଦୀ କୂଳରେ ରହିଛି ମାରଡା ଗ୍ରାମ । ଏହି ମାରଡା ଗ୍ରାମ ସମ୍ପର୍କରେ ବ୍ରିଟିଶ ଦସ୍ତାବିଜରେ ଉଲ୍ଲେଖ ରହିଛି । ତେବେ ବର୍ତ୍ତମାନ ଉକ୍ତ ଗ୍ରାମଟି ସାତକୋଶିଆ ଅଭୟାରଣ୍ୟର କୋର ଅଞ୍ଚଳ ମଧ୍ୟରେ ରହିଥିବା କାରଣରୁ ସେଠାରେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ 23 ଗୋଟି ଆଦିବାସୀ ପରିବାର ବସବାସ କରୁଛନ୍ତି ।

ମାରଡା ଗ୍ରାମରେ ବସବାସ କରୁଥିବା ଅଧିବାସୀଙ୍କ ନିକଟରେ କାମଧନ୍ଦା ଅଭାବ ସାଙ୍ଗକୁ ପଞ୍ଚାୟତ ସଦର ମହକୁମା ଠାରୁ ପ୍ରାୟ 20 କିଲୋମିଟର ଅଗମ୍ୟ ଜଙ୍ଗଲ ଭିତରେ ପରିବାର ଗୁଡିକ ରହୁଛନ୍ତି । ଏନେଇ ଶିକ୍ଷା, ସ୍ବାସ୍ଥ୍ୟ,ଆବାସ, ରାସନ,ସାମାଜିକ ସୁରକ୍ଷା ସବୁକିଛି ଗମନାଗମନର ଅବ୍ୟବସ୍ଥା ହେତୁ ଅପହଞ୍ଚ ହୋଇ ପଡିଥାଏ । ଗୋଟିଏ ପଟରେ ଜଙ୍ଗଲର ହିଂସ୍ର ବନ୍ୟଜନ୍ତୁଙ୍କ ଭୟ ତ ଅନ୍ୟପଟରେ ମହାନଦୀର କୁମ୍ଭୀର ଏମାନଙ୍କ ପାଇଁ ସଦାସର୍ବଦା ବିପଦସୃଷ୍ଟି କରିଥାଏ ।

ତେବେ ଏଭଳି ଅସହାୟ ଭାବରେ ବଞ୍ଚୁଥିବା ମାରଡା ଗ୍ରାମବାସୀଙ୍କ ସମ୍ପର୍କରେ ‘ଇଟିଭି ଭାରତ’ରେ ଅନେକଥର ଖବର ପ୍ରସାରଣ ପରେ ବୌଦ୍ଧ ଜିଲ୍ଲା ପ୍ରଶାସନ ଏମାନଙ୍କୁ ସମାଜର ମୁଖ୍ୟ ଧାରାରେ ସାମିଲ ପାଇଁ ଉଦ୍ୟମ ଆରମ୍ଭ କରିଛି । ଗୁରୁବାର ବୌଦ୍ଧ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ,ବୌଦ୍ଧ ବନଖଣ୍ଡ ଅଧିକାରୀ, ନୟାଗଡ଼ ବନ୍ୟପ୍ରାଣୀ ଅଧିକାରୀ ପ୍ରମୁଖଙ୍କ ସମେତ ଏକ ଡାକ୍ତର ବିଶେଷଜ୍ଞ ଦଳ ମାରଡା ଠାରେ ପହଞ୍ଚି ଥିଲେ । ସେଠାରେ ସମସ୍ତ ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା ସହିତ ପ୍ରାଣୀଧନ ବିଭାଗ ପକ୍ଷରୁ ପଶୁପକ୍ଷୀଙ୍କ ଚିକିତ୍ସା କରାଯାଇଥିଲା । ମାରଡା ଗ୍ରାମରେ ଦୀର୍ଘ ବର୍ଷରୁ ବନ୍ଦ ପଡିଥିବା ବିଦ୍ୟାଳୟରେ ଆଜି ହରଭଙ୍ଗା ବ୍ଲକ ପ୍ରଶାସନ ଓ ମହିଳା ଶିଶୁ ବିଭାଗ ପକ୍ଷରୁ ଏକ ଶିଶୁ କେନ୍ଦ୍ର ପ୍ରତିଷ୍ଠା କରାଯାଇଥିଲା । କୁନି କୁନି ଛାତ୍ରଛାତ୍ରୀଙ୍କୁ ସୁଷମ ଖାଦ୍ୟ ସହିତ ଶିକ୍ଷାଦାନ ପାଇଁ ବ୍ୟବସ୍ଥା କରାଯାଇଥିଲା ।

ଏନେଇ ବୌଦ୍ଧ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ ପ୍ରତ୍ୟେକ ପରିବାର ନିକଟରେ ପହଞ୍ଚି ସେମାନଙ୍କ ଅଭାବ ଅସୁବିଧା ପଚାରି ବୁଝିବା ସହିତ କେତେକ ଅସହାୟ, ରୋଗୀ ଓ ମହିଳାଙ୍କୁ ସହାୟତା ଯୋଗାଇ ଦେଇଛନ୍ତି । ଗ୍ରାମରେ ମନରେଗା ମାଧ୍ୟମରେ କାମ ଯୋଗାଇବା ଲକ୍ଷ୍ୟରେ ଏକ ପୋଖରୀ ଖନନ ଓ ଅଞ୍ଚଳରେ ଥିବା ପ୍ରଚୁର ଖଜୁରୀ ବୃକ୍ଷରୁ ଖଜୁରୀ ଗୁଡ ପ୍ରସ୍ତୁତ କରି ସ୍ବାବଲମ୍ବୀ ପାଇଁ ବ୍ୟବସ୍ଥା ମଧ୍ୟ କରାଯାଇଛି । ଅଭୟାରଣ୍ୟ ମଧ୍ୟରେ ମାରଡା ଗ୍ରାମବାସୀଙ୍କ ପାଇଁ ଏଭଳି ବ୍ୟବସ୍ଥା ପ୍ରଥମଥର ପାଇଁ ପଦକ୍ଷେପ ଗ୍ରହଣ କରାଯାଇ ଥିବାରୁ ଗ୍ରାମବାସୀ ଖୁସି ଦେଖିବାକୁ ମିଳିଛି । ସେମାନେ ବୌଦ୍ଧ ଜିଲ୍ଲା ପ୍ରଶାସନ ଓ ଇଟିଭି ଭାରତକୁ ଏହି ଅବସରରେ ଧନ୍ୟବାଦ ଅର୍ପଣ କରିଛନ୍ତି ।

ଇଟିଭି ଭାରତ, ବୌଦ୍ଧ

Last Updated : Mar 17, 2023, 9:48 AM IST

ABOUT THE AUTHOR

...view details