ବୌଦ୍ଧ:ପ୍ରବଳ ଖରା ଯୋଗୁଁ ଦିନ ୧୦ଟା ବେଳକୁ ଘରୁ ପାଦ କାଢିବା ମୁସ୍କିଲ ହୋଇପଡୁଛି । ଘଡିକୁ ଘଡି ପାଗ ବଦଳୁଥିବା ବେଳେ ଜିଲ୍ଲା ଦେଇ ପ୍ରବାହିତ ବିଭିନ୍ନ ନଦୀ ନାଳରେ ଜଳପ୍ରବାହ କମିଯାଉଛି । ବୌଦ୍ଧ ଜିଲ୍ଲା ଦେଇ ପ୍ରବାହିତ ମହାନଦୀ ସମେତ ତେଲନଦୀ, ସାଲୁଙ୍କୀ, ବାଘନଦୀରେ ଜଳପ୍ରବାହ ସମ୍ପୂର୍ଣ୍ଣ କମିଯାଇଥିବା ବେଳେ ଉଭୟ ପାନୀୟଜଳ ଓ ଜଳସେଚନ ପାଇଁ ଦେଖାଦେଇଛି ସମସ୍ୟା । ଆଉ ଏଭଳି ସମୟ ବାଲି ମାଫିଆଙ୍କ ପାଇଁ ପୁଷମାସ ପାଲଟିଛି ।
ଜିଲ୍ଲାର ହରଭଙ୍ଗା, ବୌଦ୍ଧ ଓ କଣ୍ଟାମାଳ ତହସିଲ ଅନ୍ତର୍ଗତ ବିଭିନ୍ନ ନଦୀନାଳରୁ ବାଲି ଚୋରାଚାଲାଣ ହେଉଛି । ଫଳରେ ସରକାରଙ୍କ କୋଟି କୋଟି ଟଙ୍କାର ରାଜସ୍ବ କ୍ଷତି ହେଉଛି । ଏହାଛଡା ନଦୀ ଗୁଡିକର ଜଳପ୍ରବାହର ଗତିପଥ ମଧ୍ୟ ବଦଳୁଥିବା ଅଭିଯୋଗ ହୋଇଛି ।