ବୌଦ୍ଧ:ଜିଲ୍ଲାପୋଲିସକୁ ବଡ ଧରଣର ସଫଳତା । ମନମୁଣ୍ଡା ଥାନା ଅଞ୍ଚଳରେ ବେଆଇନ ବନ୍ଧୁକ ତିଆରି କାରଖାନା ଠାବ କଲା ପୋଲିସ । ଦେଶୀ ବନ୍ଧୁକ ତିଆରି କାରଖାନାରେ ଚଢ଼ାଉ କରି ଜଣଙ୍କୁ ଗିରଫ କରିବା ସହ ଦେଶୀ ବନ୍ଧୁକ ଓ ବନ୍ଧୁକ ତିଆରି ସାମଗ୍ରି ପୋଲିସ ଜବତ କରିଛି । ଗିରଫ ଅଭିଯୁକ୍ତ ଜଣଙ୍କ ହେଉଛି ଶେଷଦେବ ବିନ୍ଧାଣୀ, ଏନେଇ ସୂଚନା ଦେଇଛନ୍ତି ଏସଡିପିଓ ଆନନ୍ଦ ବର୍ଦ୍ଧନ ଗୁରୁ ।
ମିଳିଥିବା ସୂଚନା ଅନୁଯାୟୀ ମନମୁଣ୍ଡା ଥାନା ଅନ୍ତର୍ଗତ ଏକ ସ୍ଥାନରେ ଚୋରା ବନ୍ଧୁକ ତିଆରି କାରଖାନା ଚାଲିଥିବା ନେଇ ଏକ ବିଶେଷ ସୁତ୍ରରୁ ଖବର ପାଇଥିଲା ପୋଲିସ । ଏହା ପରେ ମନମୁଣ୍ଡା ଥାନାର ଭାରପ୍ରାପ୍ତ ଅଧିକାରୀଙ୍କ ନେତୃତ୍ୱରେ ପୋଲିସ କାରଖାନା ଉପରେ ଚଢାଉ କରି ଦୁଇଟି ଦେଶୀ ପିସ୍ତଲ, ଚାରୋଟି ବଡ ବନ୍ଧୁକ,ଜିଲୋଟିନ,ବନ୍ଧୁକ ତିଆରି ସାମଗ୍ରୀ ସହିତ ଜଣେ ବ୍ୟକ୍ତିକୁ ଗିରଫ କରିଥିଲା । ଦୀର୍ଘ ବର୍ଷ ହେଲା ମନମୁଣ୍ଡା ଥାନା ଶଗଡା ଅଞ୍ଚଳରେ ଏଭଳି ଚୋରା ବନ୍ଧୁକ କାରଖାନା ଚାଲିଥିଲା । ବୌଦ୍ଧର ନୂତନ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାୟ ମୀନା କାର୍ଯ୍ୟରେ ଯୋଗଦାନ କରିବା ପରେ ଏଭଳି ଅବୈଧ ତଥା ବେଆଇନ କାରବାର ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ ।