ବୌଦ୍ଧ:ବେଆଇନ ଭାବେ ଠିଆ ହୋଇଛି ଇଟାଭାଟି । ନା ସରକାରୀ ନିୟମ ଉଲ୍ଲଘଂନର ଭୟ, ନା ପରିବେଶ ଉତ୍ତପ୍ତ ନେଇ ଚିନ୍ତା । ଚାରିଆଡ଼େ ଠିଆ ହୋଇଛି ମାଳମାଳ ବେଆଇନ ଇଟାଭାଟି । ଯାହାକୁ ନେଇ ଅତିଷ୍ଠ ହେଲେଣି ଅଞ୍ଚଳବାସୀ । ଗ୍ରୀଷ୍ମ ଋତୁ ଆରମ୍ଭ ହୋଇଥିବା ବେଳେ ବେଆଇନ ଇଟାଭାଟି ଯୋଗୁଁ ପରିବେଶ ଉପରେ ଗଭୀର ପ୍ରଭାବ ପଡିବା ସହିତ ଉତ୍ତାପ ବୃଦ୍ଧି ପାଇବାରେ ଲାଗିଛି । ଏହା ସାଙ୍ଗକୁ ଦାଉ ସାଧୁଛି ଜଙ୍ଗଲ । ବୌଦ୍ଧ ଜିଲ୍ଲାର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିବା ଯୋଗୁଁ ମଧ୍ୟ ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମବାସୀ ଧୂଆଁ ଓ ଉତ୍ତାପ ଯୋଗୁଁ ଅସ୍ତବ୍ୟସ୍ତ ହୋଇପଡିଲେଣି ।
ଆରମ୍ଭ ହୋଇଛି ଗ୍ରୀଷ୍ମ ଋତୁ । ଉତ୍ତପ୍ତ ଜିଲ୍ଲା କୁହାଯାଉଥିବା ବୌଦ୍ଧ ଜିଲ୍ଲାରେ ଏବେଠୁ ପାରଦ ଉପରକୁ ଛୁଇଁଲାଣି । ବିଭିନ୍ନ ନଦୀନାଳରେ ଜଳସ୍ତର ହ୍ରାସ ପାଇବାରେ ଲାଗିଛି । ବୌଦ୍ଧ ଜିଲ୍ଲା ଦେଇ ମହାନଦୀ ସମେତ ତେଲନଦୀ, ସାଲୁଙ୍କୀ, ବାଘ, ମେହେରୁଣୀ, ଲକ୍ଷ୍ମୀ ନାଳ ଭଳି ଅନେକ ନଦୀନାଳ ପ୍ରବାହିତ ହେଉଥିଲେ ମଧ୍ୟ ଖରାଦିନ ଯୋଗୁଁ ଜଳସ୍ତର ଉଦବେଗ ଜନକ ଭାବରେ ହ୍ରାସ ପାଉଛି । ସେପଟେ ଏଭଳି ସମୟରେ ଜିଲ୍ଲାର ବିଭିନ୍ନ ଜଙ୍ଗଲରେ ବନାଗ୍ନି ଓ ବେଆଇନ ଇଟାଭାଟି ପରିବେଶକୁ ଅଧିକ ଉତ୍ତପ୍ତ କରୁଛି ।
ବୌଦ୍ଧ ଜିଲ୍ଲାର ଅଧିକାଂଶ ଜଙ୍ଗଲରେ ମନୁଷ୍ୟକୃତ ବନାଗ୍ନି ଯୋଗୁଁ ଉଭୟ ପରିବେଶ ଓ ବନ୍ୟଜନ୍ତୁ ଗଭୀର ପ୍ରଭାବିତ ହେଉଛନ୍ତି । ଜଙ୍ଗଲ କର୍ମଚାରୀ ଓ ନିକଟବର୍ତ୍ତୀ ଗ୍ରାମବାସୀ ଏଭଳି ବନାଗ୍ନିକୁ ରୋକିବା ପାଇଁ ଭରପୁର ଉଦ୍ୟମ କରୁଥିବା ବେଳେ ଜଙ୍ଗଲ ନିଆଁ ଯୋଗୁଁ ପରିବେଶ ଉତ୍ତପ୍ତ ହେବାରେ ଲାଗିଛି । ସେହିପରି ଜିଲ୍ଲାର ହରଭଙ୍ଗା, ବୌଦ୍ଧ ଓ କଣ୍ଟାମାଳ ତହସିଲ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ବେଆଇନ ଇଟାଭାଟି ଯୋଗୁଁ ମଧ୍ୟ ପରିବେଶର ଉତ୍ତାପ ବୃଦ୍ଧି ପାଇବାରେ ଲାଗିଛି ।