ବୌଦ୍ଧ:ମାଛମରା ନାଁରେ ମହାନଦୀରେ ହେଉଛି ବେଆଇନ ବ୍ଲାଷ୍ଟିଂ । ଫଳରେ ବିପଦ ମୁହଁକୁ ଠେଲି ହୋଇ ଯାଉଛନ୍ତି ଜଳଚର ପ୍ରାଣୀ । କିଛି ଦିନ ମଧ୍ୟରେ ଏହି ବ୍ଲାଷ୍ଟିଂ ଯୋଗୁଁ ଦୁଇ ଦୁଇଟି କୁମ୍ଭୀରଙ୍କ ମୃତ୍ୟୁ ସହିତ ଜଣେ ଯୁବକ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି ।
ବୌଦ୍ଧ ଜିଲ୍ଲାରେ ପ୍ରବାହିତ ମହାନଦୀରେ ମାଛମରା ନାଁରେ ବେଆଇନ ଭାବେ ବ୍ଲାଷ୍ଟିଂ କରାଯାଉଛି । ପୂର୍ବରୁ ପାରମ୍ପରିକ ପଦ୍ଧତିରେ ଡଙ୍ଗା ଦ୍ବାରା ଜାଲରେ ମାଛଧରା ଯାଉଥିଲା । କିନ୍ତୁ ପରିବର୍ତ୍ତିତ ସମୟରେ ମହାନଦୀରେ ଜଳପ୍ରବାହ କମିବା ସହିତ ମାଛମରା ପାଇଁ ବେଆଇନ ଜିଲେଟିନ, ଡିନାମାଇଟରେ ବିସ୍ଫୋରଣ ତଥା ବିଭିନ୍ନ ରସାୟନ ସାମଗ୍ରୀର ବ୍ୟବହାର ହେଉଥିବା ନେଇ ବାରମ୍ବାର ଅଭିଯୋଗ ହେଉଛି । ଏହି ବେଆଇନ ବ୍ଲାଷ୍ଟିଂ ଦ୍ବାରା ଗତ ମାସକ ମଧ୍ୟରେ ଜିଲ୍ଲାରେ ଦୁଇ ଦୁଇଟି କୁମ୍ଭୀରଙ୍କ ମୃତ୍ୟୁ ହୋଇଥିବା ବେଳେ ମଙ୍ଗଳବାର ମଧ୍ୟାହ୍ନରେ ଜଣେ ଯୁବକ ବେଆଇନ ବ୍ଲାଷ୍ଟିଂରେ ଗୁରୁତର ଆହତ ହୋଇଛନ୍ତି ।