ବୌଦ୍ଧ:ସର୍ପାଘାତରେ ରେକର୍ଡ କରିଛି ବୌଦ୍ଧ ଜିଲ୍ଲା । ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ବିଶେଷ ଭାବରେ ସର୍ପାଘାତ ରୋଗୀଙ୍କୁ ଡାକ୍ତରଖାନାରେ ଚିକିତ୍ସା କରାନଯାଇ ଜିଲ୍ଲାର ବିଭିନ୍ନ ସ୍ଥାନରେ ରୋଗୀକୁ ଝଡାଫୁଙ୍କା ଓ ଗୁଣିଗାରେଡିର ସହାୟତାରେ ଚିକିତ୍ସା କରାଯାଉଥିବାରୁ ଅଧିକାଂଶ ସମୟରେ ରୋଗୀ ମୃତ୍ୟୁ ମୁଖରେ ପଡୁଛନ୍ତି । ଏନେଇ ବର୍ତ୍ତମାନ ଜିଲ୍ଲାର ପ୍ରାଣୀ କଲ୍ୟାଣ ମଞ୍ଚର ସଦସ୍ୟମାନେ ବିଭିନ୍ନ ସ୍ଥାନରେ ପହଞ୍ଚି ସାପ ଓ ଏହାକୁ ନେଇ ରହିଥିବା ବିଭିନ୍ନ ଅନ୍ଧବିଶ୍ୱାସ ଦୂରୀକରଣ ପାଇଁ ଉଦ୍ୟମ କରିଛନ୍ତି।
ସେହିପରି ଜିଲ୍ଲାର ବହିରା ୫ଟି ବିଦ୍ୟାଳୟ ଓ ଝାରମୁଣ୍ଡା ବିଦ୍ୟାଳୟରେ ପ୍ରାଣୀ କଲ୍ୟାଣ ମଞ୍ଚର ସଦସ୍ୟମାନେ ପହଞ୍ଚି ଛାତ୍ରଛାତ୍ରୀଙ୍କ ମଧ୍ୟରେ ସାପକୁ ନେଇ ରହିଥିବା ଅନ୍ଧବିଶ୍ୱାସ ଓ ସର୍ପାଘାତ ରୋଗୀଙ୍କୁ ଚିକିତ୍ସା ସମ୍ପର୍କରେ ଅବଗତ କରାଇଛନ୍ତି । ବିଭିନ୍ନ ପ୍ରଜାତିର ସାପ ଓ ଏହାର ବିଷକ୍ରିୟାର ପ୍ରକାର ଭେଦ ସମ୍ପର୍କରେ ବିଶେଷ ସୂଚନା ପ୍ରଦାନ କରିଥିଲେ । ତେବେ ଯୁବ ଗୋଷ୍ଠୀର ଏଭଳି ପ୍ରୟାସକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି । ମହାନଦୀ କୂଳରେ ଅବସ୍ଥିତ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷା ଋତୁରେ ନଦୀକୂଳିଆ ଅଞ୍ଚଳରେ ବିଭିନ୍ନ ପ୍ରଜାତିର ବିଷଧର ସାପ ଦେଖିବାକୁ ମିଳିଥାଏ। ଅନେକ ସମୟରେ ଏଭଳି ବିଷଧର ସାପ କାମୁଡାରେ ରୋଗୀ ମୃତ୍ୟୁ ମୁଖରେ ପଡ଼ିଥାଏ ।
ତେବେ ଜିଲ୍ଲାର ବିଭିନ୍ନ ଡାକ୍ତରଖାନାରେ ପର୍ଯ୍ୟାପ୍ତ ପରିମାଣର ବିଷ ରୋଧକ ଇଞ୍ଜେକସନ ଉପଲବ୍ଧ ରହିଥିବାରୁ ସର୍ପାଘାତ ରୋଗୀଙ୍କୁ ଚିକିତ୍ସା ଯୋଗାଇବା ସରଳ ହୋଇ ପାରିଛି । କିନ୍ତୁ ବିଭିନ୍ନ ସ୍ଥାନରେ ସାଧାରଣ ଲୋକଙ୍କ ମଧ୍ୟରେ ଜନସଚେତନତା ଅଭାବରୁ ସର୍ପାଘାତ ରୋଗୀଙ୍କୁ ଚିକିତ୍ସା ଯୋଗାଇବା ବଦଳରେ ଝଡାଫୁଙ୍କା ଓ ଗୁଣିଗାରେଡିର ସହାୟତାରେ ଚିକିତ୍ସା କରାଯାଉଛି । ଏନେଇ ଅଧିକାଂଶ ସମୟରେ ରୋଗୀ ମୃତ୍ୟୁ ମୁଖରେ ପଡୁଛନ୍ତି ।