ବୌଦ୍ଧ: ବଣ ଜଙ୍ଗଲ ଘେରା ଦୁର୍ଗମ ଅଞ୍ଚଳରେ ପହଞ୍ଚିଲା ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଓ ଆରଏମଆରସିର ବିଶେଷଜ୍ଞ ଦଳ । ଏହି ଦଳ ବିଶେଷ ଭାବରେ ଉପାନ୍ତ ଅଞ୍ଚଳରେ ମ୍ୟାଲେରିଆର ସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରିବା ସହିତ ଏନେଇ ପଦକ୍ଷେପ ଗ୍ରହଣ କରୁଛନ୍ତି । ବୌଦ୍ଧ ଜିଲ୍ଲାର ହରଭଙ୍ଗା, କଣ୍ଟାମାଳ ଓ ବୌଦ୍ଧ ବ୍ଲକର ଏଭଳି ଅନେକ ଦୁର୍ଗମ ଅଞ୍ଚଳ ରହିଛି ଯେଉଁଠି ସ୍ବାସ୍ଥ୍ୟ ସେବା ଠିକରେ ପହଞ୍ଚି ପାରୁନାହିଁ ।
ଫଳରେ ସେସବୁ ଅଞ୍ଚଳର ଅଧିବାସୀ ମ୍ୟାଲେରିଆ ପୀଡିତ ହେଲେ ପ୍ରଥମେ ଗୁଣିଗାରେଡି ଓ ପରେ କ୍ବାକ ହାବୁଡ଼ରେ ପଡି ଜୀବନ ମରଣ ସହ ଲଢୁଛନ୍ତି । ବିଗତ ବର୍ଷ ଗୁଡିକରେ ବୌଦ୍ଧ ଜିଲ୍ଲାରେ ଏଭଳି ଶହଶହ ମ୍ୟାଲେରିଆ ରୋଗୀ ଚିହ୍ନଟ ହେଉଥିବା ବେଳେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ଦମନ କାର୍ଯ୍ୟକ୍ରମ ମାଧ୍ୟମରେ ମ୍ୟାଲେରିଆକୁ ଅନେକାଂଶରେ ଦମନ କରାଯାଇ ପାରିଛି । ସୋମବାର ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଓ ଆରଏମଆରସିର ଏକ ପ୍ରତିନିଧି ମଣ୍ଡଳୀ ବୌଦ୍ଧ ସଦର ବ୍ଲକ ଆମ୍ବଝରୀ ପଞ୍ଚାୟତର ଦୁର୍ଗମ ଡଙ୍ଗାଖୋଲରେ ଚାଲିଚାଲି ଯାଇ ପହଞ୍ଚିଥିଲେ ।