ବୌଦ୍ଧ: ପୁଣି ଅଦିନିଆ ବର୍ଷା ସାଙ୍ଗକୁ କୁଆପଥର ମାଡ ଦାଉ ସାଧିଛି । ଅଦିନିଆ ବର୍ଷା ଧୋଇ ନେଲା ବୌଦ୍ଧ ଚାଷୀର ବଳକା ସମ୍ବଳ । ଉଜୁଡି ଗଲା ଏକର ଏକର ପରିବା କ୍ଷେତ । ରୋଜଗାରର ଏକମାତ୍ର ଉତ୍ସ ହରାଇ ମୁଣ୍ଡରେ ହାତ ଦେଇ ବସିଛି ଚାଷୀ । କେମିତି ପରିବାର ଚଳିବ ସେ ନେଇ ଚିନ୍ତାରେ ଚାଷୀ ।
ବୌଦ୍ଧ ଜିଲ୍ଲାର ମାଟି ଓ ଜଳବାୟୁ ପିଆଜ ଚାଷ ପାଇଁ ଉତ୍କୃଷ୍ଟ ହୋଇଥିବାରୁ ଏଠାରେ ଆଠରୁ ଦଶ ପ୍ରକାରର ପିଆଜ ଚାଷ କରିଥାନ୍ତି ଚାଷୀ । ପିଆଜ ଚାଷ ପ୍ରତି ଚାଷୀଙ୍କୁ ଅଧିକ ଆକର୍ଷଣ ତଥା ସ୍ବାବଲମ୍ବୀ କରିବା ଉଦ୍ଦେଶ୍ୟରେ ନାସିକ ପରେ ଓଡ଼ିଶାର ଏକମାତ୍ର ଏନଏଚ ଆରଡିଏଫ ବା ରାଷ୍ଟ୍ରୀୟ ଆଞ୍ଚଳିକ ଉଦ୍ୟାନକୃଷି ଗବେଷଣା କେନ୍ଦ୍ର ବୌଦ୍ଧ ଜିଲ୍ଲାର ପାଲଝାର ଠାରେ ସ୍ଥାପନ କରାଯାଇଛି । ଏନଏଚ ଆରଡିଏଫ ଜିଲ୍ଲାରେ ପ୍ରତିଷ୍ଠା ହୋଇଥିଲେ ମଧ୍ୟ ପିଆଜ ବିହନର ଅଭାବ ସାଙ୍ଗକୁ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ପିଆଜ ଚାଷରୁ ମୁହଁ ଫେରାଉଛନ୍ତି ଚାଷୀ ।