ବୌଦ୍ଧ: ଓଡ଼ିଆ ନବବର୍ଷ ଓ ପବନପୁତ୍ର ହନୁମାନଙ୍କ ଜୟନ୍ତୀ ଉପଲକ୍ଷେ ସାରା ଜିଲ୍ଲା ଉତ୍ସବ ମୁଖର ହୋଇଉଠିଛି । ଏହି ଅବସରରେ ବିଶ୍ବ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର ଜିଲ୍ଲା ଶାଖା ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରାରେ ନଗର ପରିକ୍ରମା କରାଯାଇଛି । ଆଜି ମହାବିଷୁବ ସଂକ୍ରାନ୍ତି ଥିବାରୁ ପୁରପଲ୍ଲୀରେ ବିଭିନ୍ନ ସାମଗ୍ରୀର ପଣା ପ୍ରସ୍ତୁତ ହୋଇ ବିତରଣ କରାଯାଇଥିବା ସହ ବିଭିନ୍ନ ସ୍ଥାନରେ ହନୁମାନଙ୍କ ଜୟନ୍ତୀ ଲାଗି ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।
ଓଡ଼ିଆ ନବବର୍ଷ ଅବସରରେ ବୌଦ୍ଧର ପ୍ରସିଦ୍ଧ ଚନ୍ଦ୍ରଚୂଡ ମନ୍ଦିର ନିକଟସ୍ଥ ଚିରଘାଟ ଠାରେ ବ୍ରାହ୍ମଣ ସମାଜ ପକ୍ଷରୁ ସୂର୍ଯ୍ୟ ଅର୍ଘ୍ୟ ଅର୍ପଣ କରାଯାଇଥିଲା । ଜିଲ୍ଲା ଲୋକ ସମ୍ପର୍କ ଅଧିକାରୀ ମଧ୍ୟ ପ୍ରତ୍ୟୁଷର ଏହି ପବିତ୍ର କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ । ଆଜି ପବନପୁତ୍ର ହନୁମାନଙ୍କ ଜୟନ୍ତୀ ଥିବାରୁ ମହାନଦୀ ଗର୍ଭରେ ଅବସ୍ଥିତ ସିଦ୍ଧ ହନୁମାନଙ୍କ ମନ୍ଦିରରେ ସ୍ବତନ୍ତ୍ର ପୂଜାର୍ଚ୍ଚନା ହୋଇଛି । ମହାବୀରଙ୍କ ଦର୍ଶନ କରିବା ଲାଗି ଶହଶହ ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା । ମହାବିଷୁବ ସଂକ୍ରାନ୍ତି ନେଇ ଜିଲ୍ଲାର ବିଭିନ୍ନ ସ୍ଥାନରେ ପଣାର ବ୍ୟବସ୍ଥା କରାଯାଇଛି । ଚାରିଛକ, ପୁରୁଣାକଟକ, ଜହ୍ନାପଙ୍ଗ, ସାହାଜପାଲ, ବାଉଁଶୁଣୀ, ଦହ୍ୟା, ମନମୁଣ୍ଡା, ଶଗଡା, ପଲସାଗୋରା, କଣ୍ଟାମାଳ, ଘଣ୍ଟାପଡା ଭଳି ଅନେକ ସ୍ଥାନରେ ପଣା ତିଆରି ହୋଇ ବଣ୍ଟା ଯାଇଛି ।