ବୌଦ୍ଧ: ବୌଦ୍ଧ ଜିଲ୍ଲାରେ ହକି ବିଶ୍ବକପ ପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ । ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ବିଶ୍ବକପକୁ ଅଧିକ ସ୍ମରଣୀୟ କରିବାକୁ ଏକ ମେଗା ଚିତ୍ରାଙ୍କନର ଆୟୋଜନ କରାଯାଇଥିଲା । ଚିତ୍ର ଆଙ୍କି ହକି ଖେଳାଳିଙ୍କୁ ଶୁଭେଚ୍ଛା ଜଣାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଖୋଦ୍ ବୌଦ୍ଧ ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁ ସାମିଲ ହୋଇ କାଗଜରେ ଚିତ୍ର ଆଙ୍କି ହକି ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଥିଲେ । ତେବେ ହକି ମ୍ୟାଚରେ ଭାରତୀୟ ଦଳ ବିଜୟୀ ହେବାପରେ ଏହି ଆନନ୍ଦ ଦ୍ବିଗୁଣିତ ହୋଇ ଉଠିଛି ।
ଏହି ଅବସରରେ ଜିଲ୍ଲା ମହୋତ୍ସବ ପଡିଆରେ ହଜାରରୁ ଊର୍ଦ୍ଧ୍ବ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହିତ ବିଭିନ୍ନ ବର୍ଗର ନାଗରିକ ଓ ସରକାରୀ ଅଧିକାରୀ ତଥା କର୍ମଚାରୀ ଏଥିରେ ଭାଗ ନେଇଥିଲେ । ପ୍ରଥମଥର ପାଇଁ ଏଭଳି ମେଗା ଚିତ୍ରାଙ୍କନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବାରୁ ସମସ୍ତେ ଏଭଳି କାର୍ଯ୍ୟକ୍ରମରେ ବେଶ ଉତ୍ସାହିତ ହୋଇଛନ୍ତି ।
ଜିଲ୍ଲାପାଳ ସତ୍ୟରଞ୍ଜନ ଅନ୍ୟ ଅଧିକାରୀଙ୍କ ସହିତ ତଳେ ବସି ହକି ସମ୍ପର୍କିତ ଚିତ୍ର ଆଙ୍କିଥିଲେ । ଏହାସହିତ ନିଜେ ସମସ୍ତ ଛାତ୍ରଛାତ୍ରୀଙ୍କୁ ସୁସ୍ଥ ନିରାମୟ ଜୀବନ ପାଇଁ ଯୋଗାଭ୍ୟାସ ପ୍ରଶିକ୍ଷଣ ଦେଇଥିଲେ । କାଗଜରେ ନିଜ ନିଜ ଶୈଳୀରେ ହକି ସମ୍ପର୍କିତ ଚିତ୍ର ସମସ୍ତେ ଆଙ୍କିଥିଲେ । ଯୁବଛାତ୍ର ଅଭିନନ୍ଦନ କାଗଜରେ ମେହେନ୍ଦୀର ବ୍ୟବହାର କରି ସୁନ୍ଦର ଚିତ୍ର ଆଙ୍କି ସମସ୍ତଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଥିଲେ । ଭାରତୀୟ ହକି ଦଳ ଉଦ୍ଦେଶ୍ୟରେ ଅଭିନନ୍ଦନ ଏହି ଚିତ୍ରକଳା ମାଧ୍ୟମରେ ଶୁଭେଚ୍ଛା ଜଣାଇଥିଲେ ।