ଓଡିଶା

odisha

ETV Bharat / state

ଯୋଜନା ମାଳମାଳ ହେଲେ ଫଳ ଶୂନ, ଦଲାଲଙ୍କ ହାତରେ ସରକାରୀ ଯୋଜନା - Govt Schemes fail

ଯୋଜନା ମାଳ ମାଳ ହେଲେ କାମରେ ବିଫଳ । ଶ୍ରମିକମାନଙ୍କ ପାଇଁ ସରକାର ଅନେକ ଯୋଜନା ଆଣୁଛନ୍ତି, କିନ୍ତୁ ଅନେକ ସମୟରେ ତାହା ହିତାଧିକାରୀଙ୍କ ନିକଟରେ ପହଞ୍ଚି ପାରୁନାହିଁ । ଅଧିକ ପଢ଼ନ୍ତୁ

ଦଲାଲଙ୍କ ହାତରେ ସରକାରୀ ଯୋଜନା
ଦଲାଲଙ୍କ ହାତରେ ସରକାରୀ ଯୋଜନା

By ETV Bharat Odisha Team

Published : Aug 25, 2023, 10:11 PM IST

ଦଲାଲଙ୍କ ହାତରେ ସରକାରୀ ଯୋଜନା

ବୌଦ୍ଧ: ଯୋଜନା ମାଳମାଳ ହେଲେ କାମରେ ବିଫଳ । ଦଲାଲମାନଙ୍କ କବଳରେ ସବୁ ସରକାରୀ ଯୋଜନା । ଶ୍ରମିକମାନଙ୍କ ପାଇଁ ସରକାର ଅନେକ ଯୋଜନା ଆଣୁଛନ୍ତି, କିନ୍ତୁ ଅନେକ ସମୟରେ ତାହା ହିତାଧିକାରୀଙ୍କ ନିକଟରେ ପହଞ୍ଚି ପାରୁନାହିଁ । ଶ୍ରମଜୀବୀମାନଙ୍କୁ ସହାୟତା ପାଇଁ ସରକାର ଶିକ୍ଷାଠାରୁ ଆରମ୍ଭ ବିବାହକାଳୀନ ଓ ମୃତ୍ୟୁକାଳୀନ ସହାୟତା ଯୋଗାଇ ଦେଉଛନ୍ତି । କିନ୍ତୁ ଶ୍ରମ ବିଭାଗର ଅପାରଗତା ତଥା ଶ୍ରମିକ ଦଲାଲଙ୍କ ଯୋଗୁଁ ସରକାରଙ୍କ ଏହି କଲ୍ୟାଣକାରୀ ଯୋଜନା ହିତାଧିକାରୀଙ୍କ ନିକଟରେ ପହଞ୍ଚି ପାରୁନି । ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ କାର୍ଯ୍ୟ କରୁଥିବା ନିର୍ମାଣ ଶ୍ରମିକଙ୍କୁ ସରକାର ଶ୍ରମ ବିଭାଗ ଜରିଆରେ ପଞ୍ଜିକୃତ କରି ସହାୟତା ଯୋଗାଇ ଦେବାକୁ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି । କିନ୍ତୁ ଅନେକ ସମୟରେ ପ୍ରକୃତ ଶ୍ରମଜୀବୀଙ୍କ ପରିବାର ସରକାରଙ୍କ ଏହି କଲ୍ୟାଣକାରୀ ଯୋଜନାରୁ ବାଦ ପଡୁଥିବା ନେଇ ଅଭିଯୋଗ ହୋଇଛି ।

ବୌଦ୍ଧ ଜିଲ୍ଲାରେ ପ୍ରାୟ 50ହଜାରରୁ ଅଧିକ ପଞ୍ଜିକୃତ ଶ୍ରମିକ ରହିଥିବା ବେଳେ ଅନେକ ଶ୍ରମଜୀବୀ କାମଧନ୍ଦା ନପାଇ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି । ସରକାର ଗରିବ ଶ୍ରମିକଙ୍କ ସହାୟତା ଯୋଗାଇ ଦେବାକୁ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି । ଶ୍ରମିକଙ୍କ ପୁଅଝିଅଙ୍କୁ ଶିକ୍ଷା ଯୋଗାଇବା ଲକ୍ଷ୍ୟରେ ଶିକ୍ଷା ସହାୟତା, ବିବାହ କାଳୀନ ସହାୟତା ଓ ଶ୍ରମିକଙ୍କ ମୃତ୍ୟୁକାଳୀନ ସହାୟତା ଯୋଜନା ଆଦି ଆଣିଛନ୍ତି କିନ୍ତୁ ବୌଦ୍ଧ ଜିଲ୍ଲାରେ ଏଭଳି ସରକାରୀ ସହାୟତା କ୍ଷେତ୍ରରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହୋଇଆସୁଛି । ଶ୍ରମ ବିଭାଗର ଅପାରଗତା ତଥା ବ୍ୟାପକ ଦୁର୍ନୀତି ଯୋଗୁଁ ଜିଲ୍ଲାର ଶ୍ରମ କାର୍ଯ୍ୟାଳୟ ଏକ ପ୍ରକାର ଦଲାଲଙ୍କ କବଳରେ ରହିଛି । ସରକାର ଦଲାଲ ମୁକ୍ତ କାର୍ଯ୍ୟାଳୟ ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥିବା ବେଳେ ବୌଦ୍ଧ ଜିଲ୍ଲାରେ କିନ୍ତୁ ଏଥିରେ ବ୍ୟତିକ୍ରମ ଦେଖାଦେଇଛି । ପ୍ରତ୍ୟେକ ଦିନ ଏହି ଶ୍ରମ କାର୍ଯ୍ୟାଳୟରେ ଶ୍ରମିକଙ୍କ ବଦଳରେ ଦଲାଲଙ୍କ ଭିଡ଼ ପରିଲକ୍ଷିତ ହେଉଛି । ଶ୍ରମିକଙ୍କ ପାଇଁ ଉଦ୍ଦିଷ୍ଟ ଯୋଜନା ଗୁଡ଼ିକ ଦଲାଲମାନଙ୍କ ଦ୍ଵାରା ସମ୍ପାଦିତ ହେଉଛି । ଦଲାଲମାନଙ୍କ ସମ୍ପୂର୍ଣ୍ଣ ବୋଲକରା ସାଜିଛନ୍ତି ଶ୍ରମ ଅଧିକାରୀ ଓ କର୍ମଚାରୀ । ପ୍ରାୟ ସମୟରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ନକଲି ଶ୍ରମ କାର୍ଡ ଓ ସହାୟତା ଯୋଗାଇ ଦେବାକୁ କିଛି ଦଲାଲଙ୍କ ଅର୍ଥ ଅସୁଲି ମାମଲା ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ଏନେଇ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନଥିବା ଅଭିଯୋଗ ହେଉଛି।

ଏହା ମଧ୍ୟ ପଢ଼ନ୍ତୁ...ଜାଗା ମିଶନ ଯୋଜନା ଫେଲ, ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହେଲେ ଭୂମିହୀନ

ତେବେ ବୌଦ୍ଧ ନିର୍ବାଚନ ମଣ୍ଡଳୀ ଓ କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ କିଛି ନିର୍ମାଣ ଶ୍ରମିକମାନଙ୍କୁ ସରକାରୀ ଯୋଜନା ମୁତାବକ ସହାୟତା ଯୋଗାଇ ଦିଆଯାଇଥିବା ବେଳେ ଆହୁରି ଅନେକ ହିତାଧିକାରୀ ଏଭଳି ଯୋଜନାରୁ ବାଦ ପଡ଼ିଥିବା ଅଭିଯୋଗ ହୋଇଛି । ବୌଦ୍ଧ ଜିଲ୍ଲାର ସୀମାନ୍ତ ଆଢେଣୀଗଡ ପଞ୍ଚାୟତର ବଦଲାସାହି ଗ୍ରାମର ଲାବଣ୍ୟ ବେହେରା ନିଜ ଝିଅ ବିବାହର ଦୀର୍ଘ ବର୍ଷ ପରେ ମଧ୍ୟ ଶ୍ରମ ବିଭାଗ ପକ୍ଷରୁ କୌଣସି ସହାୟତା ପାଇପାରି ନାହାନ୍ତି । ଏନେଇ ଲାବଣ୍ୟ ବାରମ୍ବାର ଗୁହାରି ପରେ ମଧ୍ୟ ସହାୟତା ମିଳିବା ଦୂରର କଥା ଓଲଟି ତାଙ୍କୁ ଲାଞ୍ଚ ମଗାଯାଉଥିବା କହିଛନ୍ତି । ସେହିପରି କଣ୍ଟାମାଳ ନିର୍ବାଚନ ମଣ୍ଡଳୀର କପାସିରା ଗ୍ରାମର ବିଧବା ଅଷ୍ଟମୀ ସାହୁଙ୍କ ଦୁଃଖ ଆହୁରି ଅଧିକ । ନିଜ ଶ୍ରମିକ ସ୍ବାମୀଙ୍କ ମୃତ୍ୟୁ ପରେ ନିଜ ଦୁଇ ସନ୍ତାନ ଓ ବୃଦ୍ଧ ଶ୍ବଶୁର ଶାଶୁଙ୍କୁ ଚଳାଇବା ଏକପ୍ରକାର ଦୁର୍ବିସହ ହୋଇ ପଡ଼ିଛି । ପର ଘରେ ମୂଲ ଲାଗି ପରିବାରର ୫ ଜଣଙ୍କୁ ଚଳାଉଛନ୍ତି ଅଷ୍ଟମୀ ।

ଆଜି ପର୍ଯ୍ୟନ୍ତ ତାଙ୍କୁ ବିଧବା ଭତ୍ତା ଟିକକ ମିଳିପାରିନାହିଁ । ନିଜ ପାଖରେ ଲେବର କାର୍ଡ ଥାଇ ମଧ୍ୟ ତାଙ୍କୁ କୌଣସି ସରକାରୀ ସହାୟତା ମିଳିପାରିନାହିଁ । ଏପରିକି ତାଙ୍କ ନିକଟରେ ରାସନ୍ କାର୍ଡ ଖଣ୍ଡିଏ ନଥିବାରୁ ପରିବାରକୁ ଦୁଇ ଓଳି ଖାଇବାକୁ ମଧ୍ୟ ଠିକରେ ମିଳୁନଥିବା ଅଭିଯୋଗ ହୋଇଛି । ତେବେ ଏଭଳି ଅସହାୟ ହିତାଧିକାରୀଙ୍କୁ ବୌଦ୍ଧ ଜିଲ୍ଲା ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେଇ ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି ।

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details