ବୌଦ୍ଧ: ପଙ୍ଗୁ କରିଦେଲା ଚିକିତ୍ସା । ଆଉ ଏବେ ପରିବାର ପୋଷିବା ପାଇଁ ଚିନ୍ତାରେ ଗୋବର୍ଦ୍ଧନ । ଅନ୍ୟପଟେ ପଞ୍ଚାୟତ ଅଧିକାରୀଙ୍କ ଲାଞ୍ଚଖୋର ମନୋଭାବ ଏବେ ଅସହାୟ ପରିବାରକୁ ବାରଦୁଆର ହେବାକୁ ବାଧ୍ୟ କରିଛି ।
ବୌଦ୍ଧ ଜିଲ୍ଲା ଲକ୍ଷ୍ମୀ ପ୍ରସାଦ ପଞ୍ଚାୟତର ନାରାୟଣ ନଗର ଗାଁ । ଗାଁର ଗୋବର୍ଦ୍ଧନ ତରିଆ ଓ ତାଙ୍କ ପତ୍ନୀ ବିମଳାଙ୍କ 4ଟି ସନ୍ତାନ । ଗୋବର୍ଦ୍ଧନ ସାଇକେଲରେ ବୁଲି ବୁଲି ମୁଢି ବିକି ପରିବାର ପ୍ରତିପୋଷଣ କରୁଥିଲେ । ମାତ୍ର ପ୍ରାୟ ଚାରି ବର୍ଷ ତଳେ ଗୋବର୍ଦ୍ଧନ ହଠାତ ଅସୁସ୍ଥ ଅନୁଭବ କରି ଜହ୍ନାପଙ୍ଗ ଡାକ୍ତରଖାନାରେ ଭର୍ତ୍ତି ହେବାରୁ ସେଠାରେ ଡାକ୍ତର ତାଙ୍କୁ କୌଣସି ପରୀକ୍ଷା ନକରି ବିଭିନ୍ନ ଇଞ୍ଜେକସନ ଓ ସାଲାଇନ ଦେଇଦେଲେ । ଫଳରେ ସେବେଠାରୁ ଗୋବର୍ଦ୍ଧନ ପକ୍ଷାଘାତରେ ଆକ୍ରାନ୍ତ ହୋଇ କୌଣସି କାମଧନ୍ଦା କରିନପାରି ଘରେ ପଡି ରହିଛନ୍ତି ।
ଭତ୍ତା ପାଇଁ ପଞ୍ଚାୟତ ଅଧିକାରୀଙ୍କ ପାଖରେ ବାରମ୍ବାର ନେହୁରା ସତ୍ତ୍ବେ ଶୁଣିନାହାନ୍ତି ଲାଞ୍ଚୁଆ କର୍ମଚାରୀ । ପିଲାଙ୍କୁ ପାଠ ପଢାଇବାକୁ ଶେଷରେ ଉଭୟ ଅସହାୟ ପତିପତ୍ନୀ ଭିକ୍ଷାବୃତ୍ତି କରିବାକୁ ମଧ୍ୟ ପଛାଇଲେ ନାହିଁ । ଏଭଳି ଏକ ଦୟନୀୟ ସ୍ଥିତିରେ ଥିବା ଏହି ଅସହାୟ ପରିବାରର ମୁଣ୍ଡ ଉପରେ ଛାଉଣୀ ଖଣ୍ଡେ ନଥିବାରୁ ଅନ୍ୟଠାରୁ ବଖରାଏ ଘର ମାଗି ସପରିବାର ରହୁଛନ୍ତି । ବାରମ୍ବାର ସରକାରୀ ଘର ଖଣ୍ଡେ ପାଇଁ ପଞ୍ଚାୟତକୁ ଦୌଡୁ ଥିଲେ ମଧ୍ୟ ପଞ୍ଚାୟତ ଅଧିକାରୀ ସିଧାସଳଖ ଟଙ୍କା ଲାଞ୍ଚ ମାଗୁଥିବାରୁ ଏବେ ନିରୁପାୟ ହୋଇପଡିଛନ୍ତି ଗୋବର୍ଦ୍ଧନ ।