ବୌଦ୍ଧ: ଉପାନ୍ତ ଅଞ୍ଚଳରେ ପହଞ୍ଚି ପାରୁନି ସରକାରଙ୍କ ବିକାଶର ଗାଡି । ବୌଦ୍ଧ ଜିଲ୍ଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ଏକ ନମ୍ବର ଜୋନର 7ଟି ପଞ୍ଚାୟତରେ ଅପହଞ୍ଚ ସରାକାରୀ ଯୋଜନା । ନା ପହଞ୍ଚି ପାରୁଛି ସ୍ବାସ୍ଥ୍ୟ ସେବା ନା ଅଛି ଗମନା ଗମନର ସୁବିଧା। ଅନ୍ୟପଟେ ମନରେଗା ଓ ଆବାସ ଯୋଜନାରେ ଦୁର୍ନୀତ ହୋଇଥିବା ଅଭିଯୋଗ ହୋଇଛି । ଉମା, ନାରାୟଣପ୍ରସାଦ, ବରଗାଁ, ଖମନମୁଣ୍ଡା, ଖୁଣ୍ଟିଗୋରା, କୁଳୁତାଯୋର ଓ ଘଣ୍ଟାପଡା ପଞ୍ଚାୟତରେ ଗମନାଗମନର ସୁବିଧା ନଥିବାରୁ ନାନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ। ଏପରିକି 6ଟି ପଞ୍ଚାୟତର ଲୋକେ ଘଣ୍ଟପଡା ଉପରେ ନିର୍ଭରଶୀଳ। ସଦର ମହକୁମା ଉପରେ ବ୍ୟବସାୟ ଠାରୁ ନେଇ ପୋଲିସ ଥାନା ପର୍ଯ୍ୟନ୍ତ ସବୁକିଛି ରହିଥିବାରୁ ଏଠାକୁ ଯିବାକୁ ହେଲେ ପଞ୍ଚାୟତବାସୀଙ୍କୁ କସରତ କରିବାକୁ ପଡେ।
7ଟି ପଞ୍ଚାୟତର ଅନେକ ଦୁର୍ଗମ ଅଞ୍ଚଳକୁ ସବୁଦିନିଆ ରାସ୍ତା ଅଭାବରୁ ସେଠାରେ ସରକାରଙ୍କ ବିକାଶ ମୂଳକ ଯୋଜନା ସଠିକରେ କାର୍ଯ୍ୟକାରୀ ହୋଇପାରୁ ନାହିଁ । ଫଳରେ ଆମ୍ବୁଲାନ୍ସ ସେବା ମଧ୍ୟ ଅଧିକାଂଶ ସମୟରେ ଏଠାର ପହଞ୍ଚିବାରେ ବାଧା ଉପୁଜିଥାଏ । ଉପାନ୍ତ ତଥା ଦୁର୍ଗମ ଅଞ୍ଚଳରେ ସ୍ବାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇପଡିଥିବାରୁ ସେସବୁ ଅଞ୍ଚଳର ଅଧିବାସୀ କ୍ବାକ, ଗୁଣି ଗାରେଡି, ତନ୍ତ୍ରମନ୍ତ୍ର ଉପରେ ନିର୍ଭରଶୀଳ । 1950 ମସିହାରେ ଘଣ୍ଟାପଡାରେ ଏକ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ପ୍ରତିଷ୍ଠା ହୋଇଛି ସତ । କିନ୍ତୁ ସେଠାରେ ଦୀର୍ଘ ଦିନ ହେଲା ଜଣେ ସ୍ଥାୟୀ ଡାକ୍ତର ନାହାନ୍ତି ।