ବୌଦ୍ଧ :ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି ଗଞ୍ଜେଇ କାରବାର । ବେଆଇନ ଗଞ୍ଜେଇ ଚାଷ ଓ ଚୋରା ଚାଲାଣକୁ ନେଇ ବୌଦ୍ଧ ଜିଲ୍ଲାର ରହିଛି କୁଖ୍ୟାତି । ବର୍ତ୍ତମାନ ଏହା ଉପରେ ଅଙ୍କୁଶ ଲଗାଇବାକୁ ସ୍ବତନ୍ତ୍ର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି । ଜିଲ୍ଲାର ବୌଦ୍ଧ ଥାନା ସହିତ ବାଉଁଶୁଣୀ, ମନମୁଣ୍ଡା ଓ କଣ୍ଟାମାଳ ଥାନା ଅଞ୍ଚଳରେ ହଜାର ହଜାର ଏକର ବେଆଇନ ଗଞ୍ଜେଇ ଚାଷ ସହିତ ରାଜ୍ୟ ବାହାରକୁ ଚୋରା ଚାଲାଣ କରାଯାଇଥାଏ । ଏହି ବେଆଇନ କାରବାର ପଛରେ ଜିଲ୍ଲାର ଅନେକ ବଡବଡିଆ ଲୋକଙ୍କ ହାତ ଥିବା ବେଳେ କେତେକ ଅସାଧୁ ଅବକାରୀ ଅଧିକାରୀ ଓ ପୋଲିସ କର୍ମଚାରୀଙ୍କ ସହଯୋଗ ଥିବା ଅଭିଯୋଗ ହୋଇଛି ।
ତେବେ ବର୍ତ୍ତମାନ ବୌଦ୍ଧର ନୂତନ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ ଓ ଏସପି ପ୍ରହଲ୍ଲାଦ ସହାୟ ମୀନାଙ୍କ ଯୋଗଦାନ ପରେ ଏହି ବେଆଇନ ଗଞ୍ଜେଇ ଚାଲାଣ ରୋକିବାକୁ ପଦକ୍ଷେପ ଗ୍ରହଣ କରାଯାଇଛି । ଗତ ସପ୍ତାହରେ କଣ୍ଟାମାଳ ଅଞ୍ଚଳରେ ଅବକାରୀ ବିଭାଗର ସ୍ବତନ୍ତ୍ର ସ୍କ୍ବାର୍ଡ ଏଭଳି ଏକ ଗଞ୍ଜେଇ ଚୋରା ଚାଲାଣ ରୋକିବାରେ ସଫଳ ହୋଇଥିଲା । ଏହି ଘଟଣାରେ ଜିଲ୍ଲା ବିଜେପିର ପୂର୍ବତନ ଆଦିବାସୀ ମୋର୍ଚ୍ଚା ସଭାପତିଙ୍କ ସହ ଅନ୍ୟ ଦୁଇ ଜଣଙ୍କୁ ଗିରଫ କରିବା ପରେ କୋର୍ଟ ଚାଲାଣ କରିଥିଲା ।
ସେହିପରି ବାଉଁଶୁଣୀ ଓ କଣ୍ଟାମାଳ ଥାନା ପକ୍ଷରୁ ମଧ୍ୟ ପୃଥକ ପୃଥକ ଘଟଣାରେ ଏଭଳି ଗଞ୍ଜେଇ ଚୋରା ଚାଲାଣକୁ ଧରାଯାଇଛି । ତେବେ ଦୁଇ ଦିନ ପୂର୍ବରୁ ମନମୁଣ୍ଡା ଥାନା ଅନ୍ତର୍ଗତ ମସିଣାପଡା ଛକ ନିକଟରେ ଏକ ଗଞ୍ଜେଇ ବୋଝେଇ କାର ଦୁର୍ଘଟଣାଗ୍ରସ୍ତ ହେବାରୁ ଘଟଣାସ୍ଥଳରେ ଜଣେ ଗଞ୍ଜେଇ ମାଫିଆର ମୃତ୍ୟୁ ହୋଇଥିବା ବେଳେ ଅନ୍ୟମାନେ ଫେରାର ହୋଇ ଯାଇଥିଲେ ।