ବୌଦ୍ଧ:ଆନନ୍ଦ ଉଲ୍ଲାସର ସହିତ ସମ୍ପନ୍ନ ହୋଇଛି ଗଣେଶ ଚତୁର୍ଥୀ । ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ବହୁ ଶିକ୍ଷାନୁଷ୍ଠାନ ଏବଂ ଧାର୍ମିକ ପୀଠରେ ଅଗ୍ରପୂଜ୍ୟ ଗଜାନନଙ୍କୁ ଆବାହନ ପୂର୍ବକ ପୂଜାର୍ଚ୍ଚନା କରାଯାଇଛି । ଏହି କ୍ରମରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ବୌଦ୍ଧ ବନଖଣ୍ଡ ପକ୍ଷରୁ ପାର୍ବତୀ ନନ୍ଦନଙ୍କ ଆରାଧନା କରାଯାଇଛି । ଜିଲ୍ଲାରେ ହାତୀ ମୃତ୍ୟୁ ବଢୁଥିବାରୁ ହାତୀଙ୍କ ସୁରକ୍ଷା ପାଇଁ ବନଖଣ୍ଡ ଅଧିକାରୀ ପ୍ରଭୁ ଗଜନାନଙ୍କ ନିକଟରେ ହୋମଯଜ୍ଞ କରିଛନ୍ତି । ନିଜେ ବନଖଣ୍ଡ ଅଧିକାରୀ ହୋମ କରି ବିଘ୍ନହର୍ତ୍ତାଙ୍କୁ ହାତୀ ସମେତ ଅନ୍ୟ ବନ୍ୟପ୍ରାଣୀଙ୍କ ବିଘ୍ନନାଶନ ପାଇଁ ପ୍ରାର୍ଥନା କରିଛନ୍ତି ।
ଜିଲ୍ଲାର ବିଭିନ୍ନ ସ୍ଥାନରେ ଆକର୍ଷଣୀୟ ଗଣେଶ ମୂର୍ତ୍ତି ପୂଜା ପାଉଥିବା ବେଳେ ବିଶେଷକରି ଗୋବର ଏବଂ କଳାରାଶିରୁ ନିର୍ମିତ ପ୍ରଭୁ ଗଣେଶଙ୍କ ପ୍ରତିମା ସମସ୍ତଙ୍କୁ ଅଧିକ ଆକର୍ଷିତ କରିଛି । ବୌଦ୍ଧର ଖଲିଆବଗିଚା ଠାରେ ପ୍ରକୃତି ପ୍ରେମୀ ଶିକ୍ଷକ ଓ ତାଙ୍କ ଛାତ୍ରଛାତ୍ରୀ ମିଶି ଗୋବର ଓ ପ୍ରାକୃତିକ ରଙ୍ଗର ବ୍ୟବହାରରେ ଗଜାନନଙ୍କ ପ୍ରତିମା ତିଆରି କରି ପୂଜାର୍ଚ୍ଚନା କରିଛନ୍ତି । ପ୍ରଦୂଷଣ କମାଇବା ବା ସ୍ବଚ୍ଛ ବାତାବରଣ ସୃଷ୍ଟି ଉଦ୍ଦେଶ୍ୟରେ ସେମାନେ ଏଭଳି ପ୍ରତିମୂର୍ତ୍ତି ପ୍ରତିଷ୍ଠା କରିଥିବା କହିଛନ୍ତି । ଅନ୍ୟପଟେ ସହରର ଗଣପତି କ୍ଲବ ପ୍ରତିବର୍ଷ ଭଳି ଏଥର ମଧ୍ୟ ନିଆରା ଗଣେଶ ମୂର୍ତ୍ତି ପ୍ରସ୍ତୁତ କରି ଚର୍ଚ୍ଚାକୁ ଆସିଛି ।
ଏହାମଧ୍ୟ ପଢନ୍ତୁ: ଗଜାନନଙ୍କ ପୂଜା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର, ଆକର୍ଷଣୀୟ ତୋରଣରେ ଝଲସୁଛି ପୂଜା ମଣ୍ଡପ