ବୌଦ୍ଧ: ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସତ୍ତ୍ବେ ସାବିତ୍ରୀ ବଜାରରେ ଖଚାଖଚ୍ ଭିଡ । ମୁଣ୍ଡଫଟା ଖରା ଯୋଗୁଁ ଲୋକେ ପଦାକୁ ଗୋଡ କାଢିବାକୁ ଡରୁଥିବା ବେଳେ ସାବିତ୍ରୀ ଓଷା ପାଇଁ ଗୁରୁବାର ବୌଦ୍ଧ ଜିଲ୍ଲାର ବିଭିନ୍ନ ହାଟ ବଜାରରେ ଦିନ ତମାମ ଅସମ୍ଭାଳ ଭିଡ ଦେଖିବାକୁ ମିଳିଛି । ଫଳ ଦୋକାନ ଆଗରେ ଲୋକେ ଲମ୍ବା ଲାଇନ ଲଗାଇଛନ୍ତି । ସେପଟେ ସାବିତ୍ରୀ ପାଇଁ ଫଳ ଦର ଆକାଶ ଛୁଆଁ ରହିଛି । ବିଶେଷ ଭାବରେ କମଳା, ଲିଚୁ, ତରଭୁଜ, ସପୁରୀ, ସେଓ, ଚେରି ଭଳି ଫଳର ଦାମ୍ ଚାରି ଗୁଣା ବଢିଯାଇଥିବା କହିଛନ୍ତି ଗ୍ରାହକ । ଯେଉଁ କାରଣରୁ ଲୋକମାନେ କେଜିଏ ଜାଗାରେ ଶହେ କିଣି ଘରକୁ ଫେରିଛନ୍ତି ।
ସାବିତ୍ରୀ ବ୍ରତ ପାଇଁ ଗୁରୁବାର ସନ୍ଧ୍ୟାରେ ବୌଦ୍ଧ ସହରର ଆଦର୍ଶ କୃଷି ବଜାର ସମେତ ଭୈରବୀ ବଜାର ଓ ଦୈନିକ ବଜାରରେ ପ୍ରବଳ ଭିଡ ଲାଗି ରହିଥିଲା । ଦିନ ତମାମ ଓ ସନ୍ଧ୍ୟାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଫଳ ଓ ବ୍ରତ ସାମଗ୍ରୀ କିଣିବା ପାଇଁ ଲୋକେ ଲାଇନ ଲଗାଇଥିଲେ । କିନ୍ତୁ ସାମାନ୍ୟ ଦର ଠାରୁ ଦୁଇରୁ ଚାରିଗୁଣ ପର୍ଯ୍ୟନ୍ତ ଫଳର ରେଟ୍ ବୃଦ୍ଧି ହୋଇଥିବାରୁ ଆଉ କେଜିରେ ନୁହେଁ ଗୋଟା ପ୍ରତି ବିକ୍ରି ହୋଇଥିଲା । ତେଣୁ ଅନେକ ଗ୍ରାହକ ଅଳ୍ପ କିଛି ଫଳ କିଣି ଘରକୁ ଫେରିଥିଲେ । ସେହିପରି ସାବିତ୍ରୀ ଲାଗି ବୌଦ୍ଧର ଗାନ୍ଧୀ ଛକ ଠାରୁ ଭୈରବୀ ବଜାର ଓ ଦୈନିକ ବଜାର ରାସ୍ତାରେ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥିଲା । ଟ୍ରାଫିକ ଚାଳନା ପାଇଁ ପୋଲିସକୁ ନାକେଦମ ହେବାକୁ ପଡିଥିବା ଦେଖିବାକୁ ମିଳିଥିଲା ।