ବୌଦ୍ଧ:ଆସନ୍ତାକାଲି ଦେଶ ପାଳିବ ସ୍ବାଧୀନତାର ୭୭ ବର୍ଷ । ଏହି ପବିତ୍ର ଦିନରେ ଦେଶ ମାତୃକା ପାଇଁ ବଳିଦାନ ଦେଇଥିବା ବୀର ପୁତ୍ରଙ୍କୁ ଦେଶବାସୀ ସ୍ମରଣ କରିବେ । ସରକାରୀ ବାବୁମାନେ ଲମ୍ବା ଭାଷଣ ବି ଦେବେ । ହେଲେ ଏହି ବୀର ଯବାନଙ୍କ ପାଇଁ ନିଜ କର୍ତ୍ତବ୍ୟକୁ ଭୁଲିଯିବେ । ସେହି ବୀରପୁତ୍ରଙ୍କ ସାହସିକତା ପାଇଁ ଆଜି ଆମେ ସ୍ବାଧୀନତାର ସ୍ବାଦ ଚାଖି ନିଜ ହିସାବରେ ଜୀବନ ଅତିବାହିତ କରୁଛି । କିନ୍ତୁ ଏହି ବୀରପୁତ୍ରଙ୍କ ଦାୟାଦମାନେ ଅବହେଳିତ ରହିଛନ୍ତି । ଏମିତି ଏକ ସ୍ବାଧୀନତା ସଂଗ୍ରାମୀଙ୍କ ଗାଁ ହେଉଛି ଜିଲ୍ଲାର ବନପାଲି । ଏହି ଗାଁର ପ୍ରତିଟି ବ୍ୟକ୍ତିଙ୍କ ମଧ୍ୟରେ ସଂଗ୍ରାମୀଙ୍କ ରକ୍ତ ପ୍ରବାହିତ ହେଉଥିବା ବେଳେ ସମସ୍ତେ ଦେଶସେବାରେ ଲାଗିପଡ଼ିଥିଲେ । ହେଲେ ଦେଶ ସ୍ବାଧୀନ ହେବାର ଏତେ ବର୍ଷ ପରେ ମଧ୍ୟ ମୌଳିକ ସୁବିଧାରୁ ବଞ୍ଚିତ ଏଠାକାର ଗ୍ରାମବାସୀ ।
ଉଗ୍ରରୂପ ନେଇଥିଲା ରାଜତନ୍ତ୍ର ବିରୋଧୀ ଆନ୍ଦୋଳନ:-ଦେଶ ମାତୃକାର ମୁକ୍ତି ସଂଗ୍ରାମରେ ଯୋଗ ଦେଇ ପୋଲିସର ଅତ୍ୟାଚାର ସହିଥିବା ତଥା ଜେଲଦଣ୍ଡ ଭୋଗିଥିଲେ ଅନେକ ସ୍ଵାଧୀନତା ସଂଗ୍ରାମୀ । ତେବେ ଗଡ଼ଜାତ ରାଜ୍ୟରେ ଏହି ମୁକ୍ତି ସଂଗ୍ରାମର ନେତୃତ୍ବ ନେଇଥିଲା ପ୍ରଜା ମଣ୍ଡଳ ଆନ୍ଦୋଳନ । ଗଡ଼ଜାତ ରାଜ୍ୟ ବୌଦ୍ଧର ଏଭଳି ଏକ ଗ୍ରାମ ରହିଛି ଯେଉଁଠାରେ ରାଜତନ୍ତ୍ର ଶାସନ କାଳରେ ସୃଷ୍ଟି ହୋଇଥିଲା ଏକ ବିରାଟ ଜନ ଆନ୍ଦୋଳନ । ସେଠାରେ ଭାରତ ମାତାଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇ ସଂଗ୍ରାମୀମାନେ ଦେଶ ସ୍ବାଧୀନ ପାଇଁ ପ୍ରତିଜ୍ଞାବଦ୍ଧ ହୋଇଥିଲେ । ଗଡ଼ଜାତ ରାଜ୍ୟ ବୌଦ୍ଧ । ବିଶାଳ ଶହେ କୋଡ଼ିଏ କୋଶର ଏହି ବିଶାଳ ରାଜ୍ୟ ଇଂରେଜମାନଙ୍କ କାୟା ବିସ୍ତାର ରାଜନୀତି ଯୋଗୁଁ ଖଣ୍ଡ ବିଖଣ୍ଡିତ ହୋଇ ଯାଇଥିଲା । ବୌଦ୍ଧ ଗଡ଼ଜାତର ଶେଷ ନରପତି ବା ରାଜାଙ୍କ ଉଦାର ମନୋଭାବ ଯୋଗୁଁ ବୌଦ୍ଧ ଗଡ଼ଜାତରେ ରାଜତନ୍ତ୍ର ବିରୋଧୀ ଆନ୍ଦୋଳନ ଉଗ୍ରରୂପ ଗ୍ରହଣ କରିନଥିଲା । କିନ୍ତୁ ଇଂରେଜ ସରକାରଙ୍କ ପ୍ରଣୀତ ବିଭିନ୍ନ ଆଇନ କାନୁନକୁ ବିରୋଧ କରି ବିଭିନ୍ନ ସମୟରେ ବୌଦ୍ଧ ଗଡ଼ଜାତରେ ଆନ୍ଦୋଳନର ସୂତ୍ରପାତ ହୋଇଥିଲା ।
ଏହା ବି ପଢନ୍ତୁ- ଓଡ଼ିଶାର ସାବରମତୀ ଅଳକାଶ୍ରମ, ସଂଗ୍ରାମୀଙ୍କ ସ୍ମୃତି ସାଇତି ଗାଉଛି ବୀରତାର ଗାଥା
ପ୍ରଜା ମଣ୍ଡଳ ଆନ୍ଦୋଳନରୁ ଆରମ୍ଭ ହୋଇଥିବା ମୁକ୍ତି ସଂଗ୍ରାମ:-ବୌଦ୍ଧ ଗଡ଼ଜାତରେ ଏହି ମୁକ୍ତି ସଂଗ୍ରାମ ଆନ୍ଦୋଳନକୁ ଅଧିକ କ୍ରିୟାଶୀଳ କରିଥିଲା ପ୍ରଜା ମଣ୍ଡଳ ଆନ୍ଦୋଳନ । କର, ଖଜଣା, ବେଠୀ ପ୍ରଥା, ରମ୍ୟ, ମାଗଣା ଭଳି ମଧ୍ୟ ଯୁଗୀୟ ପରମ୍ପରାକୁ ତୀବ୍ର ବିରୋଧ କରାଯାଇଥିଲା । ପ୍ରଜା ମଣ୍ଡଳ ଆନ୍ଦୋଳନର ସୂତ୍ରପାତ ବୌଦ୍ଧ ରାଜ୍ୟର ବଘିଆବାହାଲଠାରେ ଦଶରଥ ପ୍ରଧାନ, ଭଗବାନ ପଣ୍ଡା, ଦାମୋଦର ଦଣ୍ଡୁଆସୀ, ବିଦ୍ୟାଧର ତ୍ରିପାଠୀ, ବିଷ୍ଣୁ ଚରଣ ମେହେର ପ୍ରମୁଖଙ୍କ ନେତୃତ୍ବରେ ଅୟମାରମ୍ଭ ହୋଇଥିଲା । ଏହାର ଯଥେଷ୍ଟ ପୂର୍ବରୁ ବୌଦ୍ଧ ଗଡ଼ଜାତରେ ପ୍ରେମ ଶଙ୍କର ପଟ୍ଟନାୟକ, ପ୍ରହଲ୍ଲାଦ ବିଶି, ଚକ୍ରଧର ମିଶ୍ର, ଶଶୀ ଶେଖର ମିଶ୍ର, ଗୌରୀ ଶଙ୍କର ରାୟଗୁରୁ, ମାଧବ କହଁର, ଚିନ୍ତାମଣି ଶତପଥୀ ପ୍ରମୁଖ ରାଜତନ୍ତ୍ର ବିରୋଧରେ ସ୍ବର ଉତ୍ତୋଳନ କରି ଜେଲଦଣ୍ଡ ଭୋଗିଥିଲେ । ବୌଦ୍ଧର ବଘିଆବାହାଲଠାରେ ପ୍ରଜା ମଣ୍ଡଳ ଆନ୍ଦୋଳନର ସୂତ୍ରପାତ ହେବାର ପରେ ଏହାର ପ୍ରଭାବ ବନପାଲି ଗ୍ରାମର ଯୁବ ବର୍ଗ ଉପରେ ପଡିଥିଲା । ବନପାଲି ଗ୍ରାମର ଅନେକ ଯୁବକ ଇଂରେଜ ସରକାରଙ୍କ ଜଙ୍ଗଲ ଆଇନକୁ ବିରୋଧ କରି ଲାଠିମାଡ ଖାଇବା ସହିତ ଅନେକ ଜେଲ ଦଣ୍ଡ ଭୋଗିଥିଲେ ।