ବୌଦ୍ଧ:ପରଲୋକରେ ଶତାୟୁ ସ୍ବାଧୀନତା ସଂଗ୍ରାମୀ ଗୌର ମୋହନ ମିଶ୍ର । ବୌଦ୍ଧ ଜିଲ୍ଲାର ଶତାୟୁ ପୁରୁଷ ତଥା ଜିଲ୍ଲାର ଶେଷ ସ୍ବାଧୀନତା ସଂଗ୍ରାମୀ ଗୌର ମୋହନ ମିଶ୍ରଙ୍କj ଗତକାଲି (ସୋମବାର) ସନ୍ଧ୍ୟା ସମୟରେ ଦେହାନ୍ତ ହୋଇଛି । ବାର୍ଦ୍ଧକ୍ୟଜନିତ କାରଣରୁ ତାଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ତାଙ୍କୁ ୧୦୨ ବର୍ଷ ବୟସ ହୋଇଥିଲା ।
ବୌଦ୍ଧ ଗଡ଼ଜାତ ଆନ୍ଦୋଳନରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ଗୌର ମୋହନ ମିଶ୍ର । ବୌଦ୍ଧର ସର୍ବ ପ୍ରଥମ ଉଚ୍ଚ ଶିକ୍ଷାନୁଷ୍ଠାନ କିଙ୍ଗ ଏଡବାଡ ଇଂରାଜୀ ବିଦ୍ୟାଳୟରୁ ଶିକ୍ଷା ଗ୍ରହଣ ପରେ ଗୌର ମିଶ୍ର ରାଜତନ୍ତ୍ର ଶାସନ ବ୍ୟବସ୍ଥାର ଅବକାରୀ ବିଭାଗରେ କାର୍ଯ୍ୟ କରିଥିଲେ । କିନ୍ତୁ ରାଜତନ୍ତ୍ର ଶାସନ ବ୍ୟବସ୍ଥାର ପ୍ରଜା ମାରଣ ନୀତି, ବେଠି, ମାଗଣ ଭଳି ଅନୈତିକ କାର୍ଯ୍ୟକଳାପକୁ ବିରୋଧ କରି ଚାକିରିରୁ ଅବ୍ୟାହତି ନେଇଥିଲେ । ଏହାପରେ ମହାତ୍ମା ଗାନ୍ଧୀଙ୍କ ଭାରତ ଛାଡ଼ ଆନ୍ଦୋଳନ ଡାକରାରେ ଅନୁପ୍ରାଣିତ ହୋଇ ସ୍ବାଧୀନତା ସଂଗ୍ରାମରେ ଝାସ ଦେଇଥିଲେ । ବୌଦ୍ଧ ଗଡ଼ଜାତରେ ଆରମ୍ଭ ହୋଇଥିବା ପ୍ରଜା ମଣ୍ଡଳ ଆନ୍ଦୋଳନରେ ଗୌର ମିଶ୍ର ସକ୍ରିୟ ଅଂଶ ଗ୍ରହଣ କରିଥିବା ବେଳେ, ରାଜ ଦରବାର ଚକ୍ଷୁଶୀଳ ହୋଇଥିଲେ । ବ୍ରିଟିଶ ଶାସନାଧୀନ ଓଡ଼ିଶାରେ ଗୌର ମିଶ୍ର ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଦୁଇଥର ଭେଟିବାର ସୁଯୋଗ ପାଇଥିଲେ ।