ଓଡିଶା

odisha

ETV Bharat / state

ଅବହେଳିତ ଅବସ୍ଥାରେ ସ୍ବାଧୀନତା ସଂଗ୍ରାମୀଙ୍କ ଦାୟାଦ

ବୌଦ୍ଧ ଜିଲ୍ଲା ଶଗଡା ପଞ୍ଚାୟତର ବିଚ୍ଛିନ୍ନାଞ୍ଚଳ ଶିଗାଡି ଗାଁ । ଦିନ ଥିଲା ପ୍ରଥମ ବିଶ୍ବ ଯୁଦ୍ଧ ଠାରୁ ଆରମ୍ଭ କରି ଦେଶ ସ୍ବାଧୀନ ପର୍ଯ୍ୟନ୍ତ ଏକ ବିସ୍ତୀର୍ଣ୍ଣ ଜଙ୍ଗଲ ଅଞ୍ଚଳକୁ ସ୍ବାଧୀନ ଘୋଷଣା କରିଥିଲା ଦୁର୍ଦ୍ଦଶ ସ୍ବାଧୀନତା ସଂଗ୍ରାମୀ ଆନନ୍ଦ କହଁର ।

ଫଟୋ ସୌଜନ୍ୟ- ପ୍ରତିନିଧି, ବୌଦ୍ଧ

By

Published : Sep 29, 2019, 10:26 AM IST

ବୌଦ୍ଧ: ଦିନ ଥିଲା, ସେହି କନ୍ଧ ଜମିଦାର ନା ଶୁଣିବା ମାତ୍ରେ, ବୌଦ୍ଧ ରାଜତନ୍ତ୍ର କେବଳ ନୁହେଁ, ବ୍ରିଟିଶ ସରକାରଙ୍କ ମୁଣ୍ଡ ବ୍ୟଥା ଆରମ୍ଭ ହେଉଥିଲା । ବୌଦ୍ଧ ସ୍ବାଧୀନତା ଆନ୍ଦୋଳନର ଜଣେ ସଂଗ୍ରାମୀଙ୍କ ଦାୟାଦ କେଉଁ ପରିସ୍ଥିତିରେ ଅଛନ୍ତି ତାହା ଜାଣିବାକୁ ଆମେ ପହଞ୍ଚିଥିଲୁ ତାଙ୍କ ଜନ୍ମ ମାଟିରେ ।

ଜିଲ୍ଲାର ଶଗଡା ପଞ୍ଚାୟତର ବିଚ୍ଛିନ୍ନାଞ୍ଚଳ ଶିଗାଡି ଗାଁ । ଦିନ ଥିଲା ପ୍ରଥମ ବିଶ୍ବ ଯୁଦ୍ଧ ଠାରୁ ଆରମ୍ଭ କରି ଦେଶ ସ୍ବାଧୀନ ପର୍ଯ୍ୟନ୍ତ ଏକ ବିସ୍ତୀର୍ଣ୍ଣ ଜଙ୍ଗଲ ଅଞ୍ଚଳକୁ ସ୍ବାଧୀନ ଘୋଷଣା କରିଥିଲା ଦୁର୍ଦ୍ଦଶ ସ୍ବାଧୀନତା ସଂଗ୍ରାମୀ ଆନନ୍ଦ କହଁର । ସେତେବେଳେ ସମ୍ବଲପୁରସ୍ଥିତ ପଲିଟିକାଲ ଏଜେଣ୍ଟଙ୍କ ଦପ୍ତର ଠାରୁ ଆରମ୍ଭ କରି ବୌଦ୍ଧ ରାଜଦରବାର ପର୍ଯ୍ୟନ୍ତ ଆନନ୍ଦ ଥିଲେ ମୁଣ୍ଡ ବ୍ୟଥାର କାରଣ ।

ଭିଡିଓ ସୌଜନ୍ୟ- ପ୍ରତିନିଧି, ବୌଦ୍ଧ

ନିଜର ସର୍ବସ୍ବ ତ୍ୟାଗ କରି ମାଟି ମାଆ ପାଇଁ ଜୀବନର ଶେଷ ପର୍ଯ୍ୟନ୍ତ ଲଢେଇ କରିଥିବା ଏହି ସଂଗ୍ରାମୀ ଦେଶ ସ୍ବାଧୀନ ପରେ ପରେ ସ୍ବର୍ଗବାସ ହୋଇଥିବାରୁ ତାଙ୍କୁ କୌଣସି ସରକାରୀ ସମ୍ମାନ କିମ୍ବା ସହାୟତା ମିଳିପାରି ନଥିଲା । କିନ୍ତୁ ଭାଗ୍ୟର ବିଡମ୍ବନା ଦେଖନ୍ତୁ ,ଏକ ଅବହେଳିତ ତଥା ବିଚ୍ଛିନ୍ନାଞ୍ଚଳରେ ବସବାସ ହେତୁ ଆନନ୍ଦଙ୍କ ପରବର୍ତ୍ତୀ ଦାୟାଦଙ୍କ ଅବସ୍ଥା ଅତ୍ୟନ୍ତ ଦୟନୀୟ ।

ଶିଗାଡି ଗାଁ, ଯେଉଁ ଗାଁକୁ ସ୍ବାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ପାଞ୍ଚୋଟି ଛୋଟ ବଡ ନଦୀ ନାଳ ପାରି ହୋଇଯିବାକୁ ପଡେ । ଆଉ ସେଠାକୁ ସରକାରୀ ଯୋଜନା କିଭଳି ପହଞ୍ଚିଥିବ ତାହା ସହଜରେ ଅନୁମେୟ । ସଂଗ୍ରାମୀ ଆନନ୍ଦଙ୍କ ଘରେ ଆମେ ପହଞ୍ଚିବା ପାଇଁ କୌଣସି ରାସ୍ତା ନପାଇ ଦୀର୍ଘ ସମୟ ପାଦରେ ଚାଲିଚାଲି ଶେଷରେ ଘଞ୍ଚ ଜଙ୍ଗଲ ଘେରା ସେହି ବୀରମାଟିରେ ପହଞ୍ଚିଥିଲୁ ।

ପ୍ରଥମ ଥର ପାଇଁ କୌଣସି ଗଣମାଧ୍ୟମ ଏହି ମାଟିରେ ପହଞ୍ଚି ତାଙ୍କ ପୂର୍ବଜଙ୍କ କଥା ପଚାରିଥିବାରୁ ଆନନ୍ଦଙ୍କ ନାତୁଣୀ ବୋହୂମାନେ ବେଶ ଆନନ୍ଦିତ ହୋଇଥିଲେ । ସେଠାରେ ସଂଗ୍ରାମୀଙ୍କ ଦାୟାଦଙ୍କ ଅବସ୍ଥା ଅତ୍ୟନ୍ତ ଦୟନୀୟ । ତାଙ୍କ ନିକଟରେ ନା ଅଛି ଭଲ ବାସଗୃହ, ନା ବିଦ୍ୟୁତ ଆଉ ନା ଅଛି ପାନୀୟ ଜଳର କୌଣସି ବ୍ୟବସ୍ଥା ।

ଏଭଳି ଏକ ଅଜଣା ରାଇଜରେ ବାସ କରୁଥିବା ଏହି ସଂଗ୍ରାମୀଙ୍କ ପରିବାର ସରକାର ଓ ସାଧାରଣ ଜନସମାଜ ଠାରୁ ଢେର ଦୂରରେ । ତୁରନ୍ତ ଏହି ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details